ଓରାଙ୍ଗଉଟାନ ଉଦ୍ଧାର ଘଟଣାର CBI ତଦନ୍ତ ଦାବି କଲେ ବିଜେଡି ବିଧାୟକ

19

ବାଲେଶ୍ୱର: ଭୋଗରାଇ ଅଞ୍ଚଳରୁ ୫ ଓରାଙ୍ଗଉଟାନ ଉଦ୍ଧାର ମାମଲାର ତଦନ୍ତ ସିବିଆଇ କିମ୍ବା ଏନଆଇଏ ଦ୍ୱାରା କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ । ଭୋଗରାଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, “ଭୋଗରାଇ ଅଞ୍ଚଳରୁ ୫ଟି ଓରାଙ୍ଗଉଟାନ ଉଦ୍ଧାର ହେବାକୁ ନେଇ ଜନସାଧାରଣଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ଓରାଙ୍ଗଉଟାନ ମୁଖ୍ୟତଃ ଇଣ୍ଡୋନେସିଆ ଓ ମାଲେସିଆ ଭଳି ଦେଶ ମାନଙ୍କରେ ଦେଖିବାକୁ ମିଳନ୍ତି । ଏହା ଏକ ବିରଳ ପ୍ରଜାତିର ପ୍ରାଣୀ । ଏହା କିଭଳି ଭାବେ ସୁଦୂର ଇଣ୍ଡୋନେସିଆ ବା ମାଲେସିଆରୁ ଭୋଗରାଇ ପର୍ଯ୍ୟନ୍ତ ଆସିପାରିଲା ବୋଲି ପ୍ରଶ୍ନ ଉଠିଛି । ଏହି ପ୍ରାଣୀମାନଙ୍କ ଚାଲାଣ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ତସ୍କରୀ ଗ୍ରୁପ ଦ୍ୱାରା କରାଯାଇଛି ବୋଲି ସ୍ଵାଭାବିକ ଭାବେ ସନ୍ଦେହ ସୃଷ୍ଟି ହୋଇଛି । ଏହି ସନ୍ଦେହ ଜନକ ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଏହି ତସ୍କରୀ ଗ୍ରୁପ ବିରଳ ପ୍ରାଣୀଙ୍କୁ ଏତେ ଦୂର ଆଣିପାରିଲା, ତାହେଲେ ଏହି ପଥ ଦେଇ ଦେଶର ଶତ୍ରୁ ମାନେ ମଧ୍ୟ ପ୍ରବେଶ କରିପାରନ୍ତି । ପାଞ୍ଚଟି ଓରାଙ୍ଗଉଟାନ ଏଠାରେ ପହଞ୍ଚିବାକୁ ନେଇ ଅନେକ ଅସମାହିତ ପ୍ରଶ୍ନ ଘୁରି ବୁଲୁଛି । କୌଣସି ସୁରକ୍ଷା ଅଧିକାରୀଙ୍କ ନଜରରେ ଏମାନେ ଆସି ନଥିଲେ । ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ଗୋଳାବାରୁଦ ପରୀକ୍ଷା କେନ୍ଦ୍ର ରହିଛି । ଏପିଜେ ଅବଦୁଲ କଲାମ ଦ୍ୱିପରେ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ରହିଛି । ଅପରାଧୀ ମାନେ ସଫଳତାର ସହିତ ଯଦି ଭୋଗରାଇ ପର୍ଯ୍ୟନ୍ତ ପହଞ୍ଚି ପାରୁଛନ୍ତି, ତାହେଲେ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କଷ୍ଟକର ହେବ ନାହିଁ । ଯେହେତୁ ଏହି ଘଟଣା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଏହାର ତଦନ୍ତ ସିବିଆଇ କିମ୍ୱା ଏନଆଇଏ ଦ୍ୱାରା କରାଯାଉ । ଏହାର ଜବାବରେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି, “ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ୫ ଓରାଙ୍ଗଉଟାନ ଉଦ୍ଧାର ମାମଲାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ STF ଘଟଣାର ତଦନ୍ତ କରୁଛି ।

Comments are closed, but trackbacks and pingbacks are open.