ଜେଲରୁ ଦୁଷ୍କର୍ମ କଏଦୀ ଫେରାର, ଜେଲର ବଳରାମ ବିଶି ମାଝୀ ନିଲମ୍ବିତ

16

ନୂଆପଡା: ଦୁଷ୍କର୍ମ ମାମଲାରେ ୨୦ ବର୍ଷ ସଜା କାଟୁଥିବା ଜଣେ ଦୋଷୀ ନୂଆପଡ଼ା ସବ୍-ଜେଲରୁ ଫେରାର ହୋଇଯାଇଥିବା ଘଟଣାରେ କାରା ବିଭାଗ ବଡ଼ ପଦକ୍ଷେପ ନେଇଛି। ସୁରକ୍ଷା ବ୍ୟବସ୍ଥାରେ ଅବହେଳା ଅଭିଯୋଗରେ ଜେଲର ବଳରାମ ବିଶି ମାଝୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ମିଳିଥିବା ଖବର ଅନୁସାରେ, ଗତ ସେପ୍ଟେମ୍ବର ୭ ତାରିଖ ସକାଳ ପ୍ରାୟ ୮ଟା ବେଳେ ଜେଲ ପରିସରରେ ସଫେଇ କାମ ଚାଲିଥିବା ସମୟରେ କଏଦୀ ବିଶ୍ୱ ବିହାରୀ ମାଝୀ (୩୦) ଚମ୍ପଟ ମାରିଥିଲା। ସେ ସିନାପାଲି ଥାନା ଅଧୀନ କନ୍ଦୁଲକୋଣା ଗାଁର ବାସିନ୍ଦା। ଘଟଣା ପରେ ପୁଲିସ ଓ କାରା କର୍ତ୍ତୃପକ୍ଷ ତୁରନ୍ତ ତଲାସି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଫେରାର କଏଦୀର ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ। ସୂଚନା ଥାଉ ଯେ, ବିଶ୍ୱ ବିହାରୀ ୨୦୨୧ରେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ୨୦୨୩ରେ ନୂଆପଡ଼ା ଅଦାଲତ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଥିଲେ। କଏଦୀ ସୁରକ୍ଷା ବଳୟ ଭିତରୁ ଫେରାର ହେଲା କି ଅନ୍ୟ କର୍ମଚାରୀଙ୍କ ଭୂମିକାରେ କୌଣସି ସହଯୋଗ ଥିଲା, ସେନେଇ ତଦନ୍ତ ଜାରି ରହିଛି। ମାତ୍ର ଜେଲରଙ୍କ ନିଲମ୍ବନକୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି।

Comments are closed, but trackbacks and pingbacks are open.