ନୟାଗଡ଼: ନୟାଗଡ଼ ବ୍ଲକ ଇଟାମାଟି ଥାନା ବାଉଁଶିଆପଡ଼ା ଜହ୍ନିପଦା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଏକ ଗଛରେ ପିଟି ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। OD02DC-୨୭୩୫ ନମ୍ବର ବିଶିଷ୍ଟ ‘ଶ୍ରୀ ନୀଳକଣ୍ଠେଶ୍ୱର’ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ନୟାଗଡ଼ ଆସୁଥିଲା। ଜହ୍ନିପଦା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଅର୍ଜୁନ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ, ବସ୍ର ସମ୍ମୁଖ ଭାଗ ଭାଙ୍ଗି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି। ଏପରିକି ଦୁର୍ଘଟଣା ପରେ କିଛି ଯାତ୍ରୀ ବସ୍ ଭିତରେ ଫସି ରହିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଇଟାମାଟି ଓ ନୟାଗଡ଼ ଟାଉନ ଥାନା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଚାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତଙ୍କ ମଧ୍ୟରୁ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଏଥିରୁ ୪ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ଜିଲ୍ଲାପାଳ ମଧୁମିତା ରଥ ପହଞ୍ଚି ଉଦ୍ଧାର ଓ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। ବିଧାୟକ ମୃତ ଚାଳକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏବଂ ସମସ୍ତ ଚିକିତ୍ସା ସୁବିଧାଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ଇଟାମାଟିଥାନା ପୋଲିସ ତଦନ୍ତ କରୁଛି।
Comments are closed, but trackbacks and pingbacks are open.