ଆଜି ଜନ୍ମାଷ୍ଟମୀ: ଗାଁରୁ ସହର ମନ୍ଦିରରେ ଭକ୍ତଙ୍କ ଗହଳି

27

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ଧରାବତରଣ କରିବେ ସୃଷ୍ଟିର କର୍ଣ୍ଣଧାର ଶ୍ରୀକୃଷ୍ଣ। ଏହି ଅବସରରେ ସାରା ରାଜ୍ୟରେ ଏକ ଅପୂର୍ବ ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସକାଳୁ ସକାଳୁ ବିଭିନ୍ନ କୃଷ୍ଣ ମନ୍ଦିର ଓ ବିଷ୍ଣୁ ପୀଠଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଅଭୂତପୂର୍ବ ଭିଡ଼ ଦେଖିବାକୁ ମିଳିଛି। ‘ହରେ କୃଷ୍ଣ’ ମହାମନ୍ତ୍ର, ଭଜନ-କୀର୍ତ୍ତନ ଏବଂ ‘ହାତୀ ଘୋଡ଼ା ପାଲ୍କି, ଜୟ କହ୍ନେୟା ଲାଲ୍‌ କି’ ଧ୍ବନିରେ ଗଗନପବନ ପ୍ରକମ୍ପିତ ହେଉଛି।  ରାଜ୍ୟର ପ୍ରମୁଖ ମନ୍ଦିରଗୁଡ଼ିକୁ ରଙ୍ଗବେରଙ୍ଗର ଆଲୋକମାଳା ଓ ସୁଗନ୍ଧିତ ଫୁଲରେ ଆକର୍ଷଣୀୟ ଭାବେ ସଜାଯାଇଛି। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣ ଜନ୍ମ ନୀତି ପାଇଁ ସ୍ୱତନ୍ତ୍ର ବିଧିବିଧାନ ଓ ପୂଜାର୍ଚ୍ଚନା ଚାଲିଛି। ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଗର୍ଭଉଦକ ଓ ଜନ୍ମ ନୀତିକାନ୍ତି ସମ୍ପନ୍ନ ହେବ। ଏଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନେ ଦିନସାରା ଉପବାସ ରହି ନିଷ୍ଠାର ସହ ଏହି ପର୍ବ ପାଳନ କରୁଛନ୍ତି। ମନ୍ଦିର ସହ ଘରେ ଘରେ ସୁନ୍ଦର ଖଟୁଲିରେ ବାଳଗୋପାଳଙ୍କୁ ବିରାଜମାନ କରାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

Comments are closed, but trackbacks and pingbacks are open.