ଡିଜିପି-ଆଇଜିପି ସମ୍ମିଳନୀ: ‘ସ୍ମାର୍ଟ ପୋଲିସିଂ’ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

30

ଭୁବନେଶ୍ୱର: ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି-ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଇନଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ ସାଇବର ସୁରକ୍ଷା ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ପୋଲିସ ସଂସ୍କାର ପାଇଁ ସମସ୍ତ ଅନୁଦାନ ଓ ପ୍ରଶାସନିକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବିଭାଗ ପକ୍ଷରୁ ଉପସ୍ଥାପିତ ପ୍ରତ୍ୟେକ ପ୍ରସ୍ତାବ ଓ ଦିଗକୁ ଗୁରୁତ୍ୱର ସହ ନେବା ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଓ ସମ୍ମିଳନୀ ମାଧ୍ୟମରେ ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୧୦ଟି ମୁଖ୍ୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ଏଗୁଡିକ ହେଲା- ଜିରୋ ଟଲରେନ୍ସ ନୀତି, ଦଣ୍ଡବିଧାନ ହାର ବୃଦ୍ଧି, ନିଶାମୁକ୍ତ ଓଡ଼ିଶା, ତଟରେଖା ଓ ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା ଓ ଡାର୍କ ୱେବ୍, ଗୁଇନ୍ଦା ବ୍ୟବସ୍ଥାର ସୁଦୃଢ଼ୀକରଣ, ଥାନା ଆଧୁନିକୀକରଣ , ପୋଲିସର ଜନସାଧାରଣଙ୍କ ପ୍ରତି ନମ୍ର, ସମ୍ବେଦନଶୀଳ ଓ ଭରସାଯୋଗ୍ୟ ବ୍ୟବହାର, ‘ଦାଦା ବଟି’ ଓ ଚାନ୍ଦା ଆଦାୟ ଉପରେ ରୋକ୍, ଦୁର୍ନୀତିମୁକ୍ତ ଓ ସମର୍ପିତ ପୋଲିସିଂ। ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ସାଧାରଣ ନାଗରିକଙ୍କ ପ୍ରତି ପୋଲିସର ନମ୍ର ଓ ସମ୍ବେଦନଶୀଳ ବ୍ୟବହାର ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀ ଜଣେ ପୀଡ଼ିତ, ତେଣୁ ସେମାନଙ୍କ ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.