ଭୁଲ୍‌ ଇଞ୍ଜେକସନ୍‌ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

30

ଭୁବନେଶ୍ବର: ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ୍‌ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗକୁ ନେଇ ନୂଆପଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକେ ଶବ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଘଟଣାର ତଦନ୍ତ ସହ କ୍ଷତିପୂରଣ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୋଗ ଅନୁସାରେ, କୋମନା ବ୍ଲକ୍‌ ପେଣ୍ଡରାପଦର ଗାଁର ୩୫ ବର୍ଷୀୟା ଲଛନ୍ତି ମାଝୀ ଗତ ୨୫ ତାରିଖରେ ଅସୁସ୍ଥତା କାରଣରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ସମୟରେ ଡାକ୍ତର ଅଜୟ ପଣ୍ଡା ତାଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପରିବାରର ଅଭିଯୋଗ ଅନୁଯାୟୀ, ଇଞ୍ଜେକସନ୍‌ ଦିଆଯିବାର କିଛି ସମୟ ପରେ ଲଛନ୍ତିଙ୍କ ପେଟ ଫୁଲିବା ଆରମ୍ଭ ହୋଇଥିଲା। ଏନେଇ ତାଙ୍କ ସ୍ୱାମୀ ତୁଲସୀ ମାଝୀ ଡାକ୍ତରଙ୍କୁ ଜଣାଇଥିଲେ। ପରେ ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତରାତି ଲଛନ୍ତିଙ୍କ ମୃତ୍ୟୁ ଘଟିଥିଲା। ଲଛନ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଚିକିତ୍ସାରେ ଅବହେଳା ଏବଂ ଭୁଲ୍‌ ଇଞ୍ଜେକସନ୍‌ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ତେବେ ଇଞ୍ଜେକସନ୍‌ ଯୋଗୁଁ ହିଁ ମୃତ୍ୟୁ ଘଟିଛି କି ଅନ୍ୟ କୌଣସି କାରଣରୁ ରୋଗୀଙ୍କ ମୃତ୍ୟୁ ହୋଇଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଆଜି ସକାଳେ ଲଛନ୍ତିଙ୍କ ପରିବାର ଲୋକେ ଶବ ଧରି ସିଡିଏମ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି।

Comments are closed, but trackbacks and pingbacks are open.