ଭୁବନେଶ୍ୱର:ବେଆଇନ ଭାବେ ବ୍ୟକ୍ତିଗତ ବିମାନ ଯାତ୍ରା, ହୋଟେଲ ବିଲ୍ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ‘ବ୍ୟବସାୟିକ ଖର୍ଚ୍ଚ’ ଦର୍ଶାଇ ଲକ୍ଷାଧିକ ଟଙ୍କାର ଟିକସ ଛାଡ଼ ବା ‘ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍’ ନେଇଥିବା ଅଭିଯୋଗରେ ଓସିଏକୁ ରାଜ୍ୟ ବାଣିଜ୍ୟକର ଓ ଜିଏସଟି ବିଭାଗ ନୋଟିସ୍ ଜାରି କରିଛି। ପ୍ରାୟ ୫.୫୮ଲକ୍ଷ ଟଙ୍କାର ଟିକସ ରିହାତି ଓସିଏ ବେଆଇନ ଭାବେ ନେଇଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଜିଏସଟି ଆସିଷ୍ଟାଣ୍ଟ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ନୋଟିସରେ ଓସିଏ(OCA) ବେଆଇନ ଭାବେ ଟିକସ ରିହାତି ହାତେଇଥିବା ଜଣାପଡ଼ିଛି। ଓସିଏ ପକ୍ଷରୁ ଦାଖଲ କରାଯାଇଥିବା ୨୦୨୬ ଜୁନ୍ ମାସର ଟ୍ୟାକ୍ସ ରିଟର୍ଣ୍ଣ ଯାଂଚବେଳେ ଏହି ଅନିୟମିତତା ପଦାକୁ ଆସିଛି।ବିଶେଷକରି ଟ୍ରାଭେଲ ଏଜେନ୍ସି, ହୋଟେଲ ରହଣି, ପୋଷାକ, ରଙ୍ଗ ଓ ଭିଡିଓ ସେବା ଭଳି ପ୍ରାୟ ୭୩ ଲକ୍ଷ ୯୧ ହଜାର ୫୪୫ ଟଙ୍କାର ବିଲ୍ ବାବଦରେ ସିଜିଏସଟି/ଏସଜିଏସଟି ଧାରା ୧୭(୫)କୁ ଉଲ୍ଲଂଘନ କରି ବେଆଇନ ଭାବେ ଓସିଏ ମୋଟ ୫ ଲକ୍ଷ ୫୮ ହଜାର ୫୮୯ ଟଙ୍କାର ଟିକସ ରିହାତି ନେଇଥିବା ନୋଟିସରେ ଉଲ୍ଲେଖ ରହିଛି। ଏଥିରେ ଆଇଜିଏସଟି ବାବଦକୁ ୨ ଲକ୍ଷ ୩୦ ହଜାର ୨୦୧ ଟଙ୍କା , ସିଜିଏସଟି ଓ ଏସଜିଏସଟି ବାବଦକୁ ଯଥାକ୍ରମେ ୧ ଲକ୍ଷ ୬୪ ହଜାର ୧୯୪ ଟଙ୍କା ଲେଖାଏଁ ରହିଛି।ଜିଏସଟି ଆସିଷ୍ଟାଣ୍ଟ କମିଶନର ଓମପ୍ରକାଶ ରାୟସିଂଙ୍କ ଦସ୍ତଖତରେ ଯାଇଥିବା ନୋଟିସରେ ଦର୍ଶାଯାଇଛି ଯେ,ଜିଏସଟି ନିୟମ ଅନୁସାରେ କୌଣସି ସଂସ୍ଥା କେବଳ ତାର ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ହୋଇଥିବା ଖର୍ଚ୍ଚ ଉପରେ ହିଁ ଟିକସ ରିହାତି ପାଇପାରିବ। କୌଣସି ସଂସ୍ଥା ବ୍ୟକ୍ତିଗତ ଖର୍ଚ୍ଚ ଉପରେ ଟିକସ ରିହାତି ବା ଇନପୁଟ ଟ୍ୟାକ୍ସ କ୍ରେଡିଟ(ଆଇଟିସି) ଦାବି କରିପାରିବ ନାହିଁ। ଜିଏସଟି ଆଇନର ଧାରା ୧୫୫ ଏବଂ ୧୬ ଅନୁଯାୟୀ, ଟ୍ୟାକ୍ସ ରିହାତି ସଠିକ୍ ବୋଲି ପ୍ରମାଣ କରିବା ଦାୟିତ୍ୱ ଖୋଦ୍ ଓସିଏର। ତେଣୁ ସମ୍ପୃକ୍ତ ବିଲ୍, ଇ-ୱେ ବିଲ୍ ଏବଂ ଟଙ୍କା ପୈଠ କରିଥିବାର ସମସ୍ତ କାଗଜପତ୍ର ଦାଖଲ କରି ପକ୍ଷ ରଖିବାକୁ ଓସିଏ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନମିଳିଲେ ଓସିଏ ବିରୋଧରେ ଜିଏସଟି ଆଇନ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
Comments are closed, but trackbacks and pingbacks are open.