ଭୁବନେଶ୍ୱର:ରାଜ୍ୟରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଞ୍ଜୀକରଣ ଓ ସଂଶୋଧନ ପାଇଁ ନିର୍ଦ୍ଧାରିତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଆଜି ସମାପ୍ତ ହୋଇଛି। ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ନୋଟିସ ପର୍ଯ୍ୟାୟ ସହ ସମସ୍ତ ଦାବି ଓ ଆପତ୍ତିର ଅନ୍ତିମ ଫଇସଲା କରାଯିବ ଏବଂ ସେପ୍ଟେମ୍ବର ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ସୂଚନା ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ସମସ୍ତ ନୋଟିସ ପର୍ଯ୍ୟାୟ ଶେଷ ହେବା ସହ ଦାଖଲ ହୋଇଥିବା ସମସ୍ତ ଦାବି ଓ ଆପତ୍ତିଗୁଡ଼ିକର ଅନ୍ତିମ ଫଇସଲା କରାଯିବ। ଏହି ସମସ୍ତ ଶୁଣାଣି ଓ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ସେପ୍ଟେମ୍ବର ୨୧ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇବ।ଆଜି ସୁଦ୍ଧା ମୋଟ ୫୮ ଲକ୍ଷ ୩୬ ହଜାର ୪୩୦ ଜଣ ଭୋଟରଙ୍କ ନାମରେ ନୋଟିସ ଜାରି କରାଯାଇଥିଲା। ସେଥିମଧ୍ୟରୁ ପ୍ରଶାସନିକ ତତ୍ପରତା ଯୋଗୁଁ ୫୮ ଲକ୍ଷ ୩୬ ହଜାର ୩୭୪ ଜଣ ଭୋଟରଙ୍କ ନିକଟରେ ସଫଳତାର ସହ ନୋଟିସ ପହଞ୍ଚାଯାଇ ସାରିଛି। ବର୍ତ୍ତମାନ ସୁଦ୍ଧା ନୋଟିସ ପାଇଥିବା ଭୋଟରମାନଙ୍କ ଶୁଣାଣି ଶେଷ କରାଯାଇ, ସେଥି ମଧ୍ୟରୁ ୫୪ ଲକ୍ଷ ୨୧ ହଜାର ୮୭୨ ଜଣ ଭୋଟରଙ୍କୁ ଭୋଟର ତାଲିକାରେ ବଜାୟ ରଖାଯାଇଛି।ଏବେ ସୁଦ୍ଧା ରାଜ୍ୟରେ ମୋଟ ୩କୋଟି ୯ଲକ୍ଷ ୭୧ହଜାର ୯୪୧ ଜଣ ଯୋଗ୍ୟ ଭୋଟର ଚୂଡାନ୍ତ ଭୋଟର ତାଲିକାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ,ଯେହେତୁ ଶୁଣାଣି ପ୍ରକ୍ରିୟା ଚାଲୁରହିଛି ଆଗକୁ ଶୁଣାଣି କରାଯାଇ ଯୋଗ୍ୟ ଭୋଟର ଙ୍କ ସଂଖ୍ୟା ଆହୁରି ବଢ଼ିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।ନୋଟିସ ଜାରି କରାଯାଇଥିବା ଭୋଟରମାନଙ୍କ ମଧ୍ୟରୁ ଯେଉଁମାନେ ଆବଶ୍ୟକୀୟ ବୈଧ ପ୍ରମାଣପତ୍ର କିମ୍ବା ସଠିକ ତଥ୍ୟ ଦାଖଲ କରିବାରେ ଅସମର୍ଥ ହୋଇଛନ୍ତି, ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯିବ।ଯୋଗ୍ୟ ନୂତନ ନାଗରିକ ଓ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାରେ ଯୋଡ଼ିବା ପାଇଁ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଛି। ଫର୍ମ-୬ ଜରିଆରେ ମୋଟ ୨,୭୯,୩୧୫ ଜଣ ନୂତନ ନାମ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି।ଯେଉଁ ଭୋଟର ମାନଙ୍କ ନାମ ଦୁଇଟି ସ୍ଥାନରେ ଅଛି ସେମାନେ ଗୋଟିଏ ସ୍ଥାନରୁ ନାମ ହଟାଇ ଅନ୍ୟ ସ୍ଥାନରେ ରଖିବା, ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ବାଦ୍ ଦେବା ପାଇଁ ଫର୍ମ-୭ ଜରିଆରେ ୫୩,୬୨୫ ଟି ଆବେଦନ ପ୍ରାପ୍ତ ହୋଇଛି।ଭୋଟର ତାଲିକାରେ ଥିବା ନାମ, ଠିକଣା, ବୟସ କିମ୍ବା ଅନ୍ୟାନ୍ୟ ସଂଶୋଧନ ସହ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ନାମକୁ ଏକାଠି ଗୋଟିଏ ମତଦାନ କେନ୍ଦ୍ରରେ ରଖିବା ପାଇଁ ଫର୍ମ-୮ ମାଧ୍ୟମରେ ୧,୯୭,୯୫୨ ଜଣ ଭୋଟର ଆବେଦନ କରିଛନ୍ତି।ସମସ୍ତ ପ୍ରାପ୍ତ ଆବେଦନ ଓ ନୋଟିସଗୁଡ଼ିକର ସୂକ୍ଷ୍ମ ଯାଞ୍ଚ ପ୍ରକ୍ରିୟା ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ସ୍ତରରେ ଜାରି ରହିଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ କହିଛନ୍ତି ଯେ ଯେପରି କୌଣସି ଯୋଗ୍ୟ ନାଗରିକ ଭୋଟର ତାଲିକାରୁ ବଞ୍ଚିତ ନ ହୁଅନ୍ତି ଏବଂ କୌଣସି ଅଯୋଗ୍ୟ ନାମ ଭୋଟର ତାଲିକାରେ ନ ରହେ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।ସେପ୍ଟେମ୍ବର ୨୧ରେ ପ୍ରକାଶ ପାଇବାକୁ ଥିବା ଏହି ଚୂଡ଼ାନ୍ତ ତାଲିକା ଆଗାମୀ ନିର୍ବାଚନୀ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
Comments are closed, but trackbacks and pingbacks are open.