ଲଗାଣ ବର୍ଷାରେ ଭାଙ୍ଗିଲା ମାଟି କାନ୍ଥ: ଆଇ-ନାତିଙ୍କ ମୃତ୍ୟୁ, ନାତୁଣୀ ଗୁରୁତର

27

ଭୁବନେଶ୍ବର: ଲଗାଣ ବର୍ଷା ଆଣିଲା ଦୁଃଖଦ ଖବର। ରାତିରେ ଶୋଇଥିବା ବେଳେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଚାଲିଯାଇଛି ଦୁଇଟି ନିରୀହ ଜୀବନ। କାନ୍ଥ ତଳେ ଚାପି ହୋଇ ଆଇ ଓ ନାତିଙ୍କର କରୁଣ ମୃତ୍ୟୁ ଘଟିଥିବା ବେଳେ ନାତୁଣୀ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ କପାସୁଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ କପାସୁଦା ଗାଁର ରାଧିକା ଜେନା ଏବଂ ତାଙ୍କ ନାତି ଜ୍ୟୋତିପ୍ରକାଶ ସ୍ୱାଇଁ। ଏହି ଦୁର୍ଘଟଣାରେ ଜ୍ୟୋତିପ୍ରକାଶଙ୍କ ଭଉଣୀ ସ୍ମୃତିରେଖା ସ୍ୱାଇଁ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଜାରି ରହିଥିବା ଲଗାଣ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଘରର ମାଟି କାନ୍ଥଟି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା। ଗତକାଲି ରାତିରେ ପରିବାର ଲୋକେ ଶୋଇଥିବା ସମୟରେ ହଠାତ୍ କାନ୍ଥଟି ସେମାନଙ୍କ ଉପରକୁ ଓଲଟି ପଡ଼ିଥିଲା। ବିଳମ୍ବିତ ରାତିରେ ଚିତ୍କାର ଶୁଣି ଆଖପାଖର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଟି ଅଳନ୍ଦୁ ତଳୁ ସମସ୍ତଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାସ୍ଥଳରେ ହିଁ ରାଧିକା ଓ ଜ୍ୟୋତିପ୍ରକାଶଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଗୁରୁତର ଆହତ ସ୍ମୃତିରେଖାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ହୃଦୟବିଦାରକ ଘଟଣା ପରେ ସମଗ୍ର କପାସୁଦା ଗାଁରେ ଗଭୀର ଶୋକର ଛାୟା ଖେଳିଯାଇଛି।

Comments are closed, but trackbacks and pingbacks are open.