କିମସରେ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ ଆୟୋଜିତ

24

ଭୁବନେଶ୍ୱର: କିଡ୍‌ନୀ ଚିକିତ୍ସା କ୍ଷେତ୍ରରେ ନୂଆ ଉପଲବ୍ଧି, ଗବେଷଣା ଓ ଆଧୁନିକ ଚିକିତ୍ସା ପଦ୍ଧତି ନେଇ ଆଲୋଚନା ପାଇଁ ଭୁବନେଶ୍ୱର କିମସ ନେଫ୍ରୋଲୋଜି ବିଭାଗ ପକ୍ଷରୁ ତୃତୀୟ ବାର୍ଷିକ ନେଫ୍ରୋଲୋଜି ସମ୍ମିଳନୀ କେଏନସି ୩.୦ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରମୁଖ ଅନୁଷ୍ଠାନରୁ ବିଶିଷ୍ଟ ବିଶେଷଜ୍ଞ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦେଇ କିଡ୍‌ନୀ ଚିକିତ୍ସା କ୍ଷେତ୍ରର ସାମ୍ପ୍ରତିକ ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଆଡଭାନସେସ ଇନ ନେଫ୍ରୋଲୋଜି  ଆଣ୍ଡ କିଡ୍‌ନୀ କେୟାର’ ଶୀର୍ଷକ ବିଷୟବସ୍ତୁ ଉପରେ ଆୟୋଜିତ ଏହି ସମ୍ମିଳନୀରେ ନେଫ୍ରୋଲୋଜି କ୍ଷେତ୍ରରେ ଉଦୀୟମାନ ନୂତନ ପ୍ରଯୁକ୍ତି, ଚିକିତ୍ସା ପଦ୍ଧତି ଓ ଆଧୁନିକ ଉଦ୍ଭାବନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଉଦ୍‌ଘାଟନୀ ଅଭିଭାଷଣ ଦେଇ ଡା. ନିକୁଞ୍ଜ କିଶୋର ରାଉତ କହିଲେ, ନେଫ୍ରୋଲୋଜି ବର୍ତ୍ତମାନ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି। ପାରମ୍ପରିକ ଡାଏଲିସିସ୍ ଓ କିଡ୍‌ନୀ ପ୍ରତିରୋପଣ ଚିକିତ୍ସାର ସୀମା ଟପି ଏହି କ୍ଷେତ୍ର ଏବେ ପ୍ରିସିଜନ୍ ମେଡିସିନ୍ ଏବଂ ପ୍ରଯୁକ୍ତିନିର୍ଭର ଚିକିତ୍ସା ଆଡ଼କୁ ଅଗ୍ରସର ହେଉଛି। ସେ ଜିନୋମିକ୍ସ, କୃତ୍ରିମ ବୁଦ୍ଧିମତ୍ତା, ନୂତନ ଇମ୍ୟୁନୋଥେରାପି, ନେକ୍ସଟ୍-ଜେନେରେସନ୍ ଡାଏଲିସିସ୍ ପ୍ରଯୁକ୍ତି ସହିତ ଏସଜିଏଲଟି୨ ଇନହିବିଟର୍ସ, ନନ୍-ଷ୍ଟେରଏଡାଲ୍ ଏମଆରଏ ଓ ଏଚଆଇଏଫ ଇନହିବିଟର୍ସ ଭଳି ନୂତନ ଔଷଧ ବର୍ଗର ଅଗ୍ରଗତି ଚିକିତ୍ସା ପଦ୍ଧତିକୁ କିପରି ନୂଆ ଦିଗ ଦେଉଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ।

କେଏନସି ୩.୦ର ସାଇଣ୍ଟିଫିକ କାର୍ଯ୍ୟକ୍ରମରେ ନେଫ୍ରୋପାଥି ଓ ଲୁପସ୍ ନେଫ୍ରାଇଟିସ୍ ଭଳି ଗ୍ଲୋମେରୁଲାର ରୋଗ, ନେଫ୍ରୋଜେନେଟିକ୍ସ, କ୍ରୋନିକ୍ କିଡ୍‌ନୀ ଡିଜିଜ୍ ପରିଚାଳନାରେ ନୂତନ ପଦକ୍ଷେପ, ଟ୍ରାନ୍ସପ୍ଲାଣ୍ଟ ଇମ୍ୟୁନୋଲୋଜି ଏବଂ ନୂତନ ଚିକିତ୍ସା ପଦ୍ଧତି ଭଳି ବିଭିନ୍ନ ବିଷୟରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବିଶେଷଜ୍ଞଙ୍କ ଅଭିଭାଷଣ, କେସ୍ ଆଧାରିତ ଆଲୋଚନା, ଇଣ୍ଟରଆକ୍ଟିଭ୍ ଏକାଡେମିକ୍ ସେସନ୍ ଏବଂ ହ୍ୟାଣ୍ଡସ୍-ଅନ୍ କର୍ମଶାଳା ମାଧ୍ୟମରେ ଜ୍ଞାନ ଓ ଅନୁଭୂତି ବିନିମୟ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି ହୋଇଥିଲା।

ଦେଶର ବିଭିନ୍ନ ପ୍ରମୁଖ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନରୁ ଖ୍ୟାତନାମା ବିଶେଷଜ୍ଞମାନେ ବକ୍ତା ଓ ଅଧ୍ୟକ୍ଷ ଭାବେ ଯୋଗଦେଇ ଅତ୍ୟାଧୁନିକ ଗବେଷଣା ଓ କ୍ଲିନିକାଲ୍ ଚିକିତ୍ସା ପଦ୍ଧତି ସମ୍ପର୍କରେ ନିଜର ଅଭିଜ୍ଞତା ଓ ମତାମତ ରଖିଥିଲେ। ଉଦ୍‌ଘାଟନୀ ଅଧିବେଶନରେ କିମ୍ସ ପ୍ରତିଷ୍ଠାତାଙ୍କ ପରାମର୍ଶଦାତା ଡା. ଆର୍. ଏନ୍. ସାମନ୍ତ, ଉପକୁଳପତି ଡା. ସି.ବି.କେ. ମହାନ୍ତି, ଡିନ୍ ଓ କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଆର୍.ସି. ଦାସଙ୍କ ସମେତ ବିଶିଷ୍ଟ ବକ୍ତା, ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। କିମ୍ସ ନେଫ୍ରୋଲୋଜି ବିଭାଗ ବରିଷ୍ଠ ପ୍ରଫେସର ଡା. ଅଶ୍ୱିନୀ ପ୍ରସାଦ ପଟ୍ଟନାୟକ ଏବଂ ଡା. ସାଇନ୍ଥିଆ ସଞ୍ଜୀବନୀ ମଧ୍ୟ ସମ୍ମିଳନୀରେ ସକ୍ରିୟ ଭାବେ ଯୋଗଦେଇ ବିଭିନ୍ନ ଏକାଡେମିକ୍ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed, but trackbacks and pingbacks are open.