ରେଶମ ସହରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ: ଫଟୋ ଉଠାଇଲେ, ପିଲାଙ୍କୁ ବାଣ୍ଟିଲେ ଚକୋଲେଟ୍‌

15

ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଥିଲା ଏକ ସ୍ମରଣୀୟ ଦିନ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ବତନ୍ତ୍ର ଟ୍ରେନରେ ବ୍ରହ୍ମପୁର ଗସ୍ତ କରିଛନ୍ତି। ନୂଆଦିଲ୍ଲୀରୁ ଆସିଥିବା ‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ଚଢ଼ି ରେଶମ ସହରରେ ପହଞ୍ଚିଥିଲେ ମହାମହିମ। ଏଥିପାଇଁ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ସକାଳ ୯ଟା ସମୟରେ ଭୁବନେଶ୍ବର ରେଳଷ୍ଟେସନରୁ ବ୍ରହ୍ମପୁର ଅଭିମୁଖେ ଗଡ଼ିଥିଲା ଏହି ସ୍ବତନ୍ତ୍ର ଟ୍ରେନ୍‌। ୨ ଘଣ୍ଟା ୧୦ ମିନିଟ୍‌ର ଯାତ୍ରା ପରେ ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ଟ୍ରେନ୍‌ଟି ବ୍ରହ୍ମପୁର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଲାଗିଥିଲା। ସେଠାରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ଏହାସହ ବିଭିନ୍ନ ନେତା, ମନ୍ତ୍ରୀ, ବିଧାୟକ, ସାଂସଦ, ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ମହାମହିମଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଷ୍ଟେସନରେ ଗଞ୍ଜାମର ଲୋକନୃତ୍ୟ ତାଳେ ତାଳେ କଳାକାରମାନେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ଏହାପରେ ସେ କାର୍‌ ଯୋଗେ ତପ୍ତପାଣି ଗସ୍ତ କରି ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।

Comments are closed, but trackbacks and pingbacks are open.