ନୂଆଦିଲ୍ଲୀ: ସରକାରୀ ଏବଂ ସରକାରୀ ସହାୟତାପ୍ରାପ୍ତ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଆବାସିକ JEE ଏବଂ NEET କୋଚିଂ ଯୋଗାଇଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ପୁଣେସ୍ଥିତ ‘ଦକ୍ଷିଣା ଫାଉଣ୍ଡେସନ୍’ ଦ୍ୱାରା ପ୍ରଦାନ କରାଯାଉଥିବା ସ୍କଲାରସିପ୍ (ବୃତ୍ତି) ଅଧୀନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହେବ। ଏ ନେଇ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସ୍କୁଲକୁ ଏକ ସର୍କୁଲାର ଜାରି କରାଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଶିକ୍ଷାବର୍ଷରେ ସରକାରୀ କିମ୍ବା ସହାୟତାପ୍ରାପ୍ତ ସ୍କୁଲରେ ବିଜ୍ଞାନ (+2 ଉଚ୍ଚସେକେଣ୍ଡାରୀ) ପଢ଼ୁଥିବା ଏବଂ ଭଲ ଶିକ୍ଷାଗତ ରେକର୍ଡ ଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ। ଏହି ନିଶୁଳ୍କ କୋଚିଂ ପାଇଁ ପ୍ରାର୍ଥୀମାନଙ୍କୁ ‘ଜଏଣ୍ଟ ଦକ୍ଷିଣା ସିଲେକ୍ସନ୍ ଟେଷ୍ଟ’ ମାଧ୍ୟମରେ ଚୟନ କରାଯିବ, ଯାହାକି ଆସନ୍ତା ଡିସେମ୍ବର ମାସରେ ଅନୁଷ୍ଠିତ ହେବ। କୃତକାର୍ଯ୍ୟ ହେଉଥିବା ଛାତ୍ରଛାତ୍ରୀଙ୍କୁ ମହାରାଷ୍ଟ୍ର ପୁଣେ ନିକଟବର୍ତ୍ତୀ କଡୁସ୍ ଗ୍ରାମରେ ଥିବା ଫାଉଣ୍ଡେସନର କ୍ୟାମ୍ପସ ‘ଦକ୍ଷିଣା ଭ୍ୟାଲି’ରେ ଗୋଟିଏ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା ଆବାସିକ କୋଚିଂ ପ୍ରଦାନ କରାଯିବ।
Comments are closed, but trackbacks and pingbacks are open.