ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ଆଶଙ୍କା: ୩୧ ଜୁଲାଇ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

27

ଭୁବନେଶ୍ବର: ରାଜ୍ୟରେ ଆସନ୍ନ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଦ୍ୟାଳୟ ପାଇଁ ସତର୍କତାମୂଳକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ବେସରକାରୀ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ୩୦ ଜୁଲାଇ ଅପରାହ୍ନ ୧ଟାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ। ନିର୍ଦ୍ଦେଶାନୁସାରେ, ୩୦ ଜୁଲାଇରେ ମଧ୍ୟାହ୍ନ ଭୋଜନ ଶୀଘ୍ର ବଣ୍ଟନ କରାଯିବ, ଯାହାଫଳରେ ଛାତ୍ରଛାତ୍ରୀମାନେ ଅପରାହ୍ନ ୧ଟା ସୁଦ୍ଧା ସୁରକ୍ଷିତ ଭାବେ ଘରକୁ ଫେରିପାରିବେ। ତେବେ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନେ ନିୟମିତ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଆଗାମୀ ଚାରି ଦିନ ପର୍ଯ୍ୟନ୍ତ କୌଣସି ପ୍ରକାରର କାଜୁଆଲ୍ ଲିଭ୍ (CL) ମଞ୍ଜୁର କରାଯିବ ନାହିଁ । ଏଥିସହ ବିଦ୍ୟାଳୟର ଶ୍ରେଣୀ ଗୃହ ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଗୁଡ଼ିକୁ ସମ୍ଭାବ୍ୟ ବନ୍ୟା ଆଶ୍ରୟସ୍ଥଳ ଭାବେ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଗୁଡ଼ିକୁ ୨୪ ଘଣ୍ଟା ଖୋଲା ରଖିବା ପାଇଁ ପ୍ରଧାନ ଶିକ୍ଷକମାନେ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରିବେ। ଯେକୌଣସି ସମୟରେ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ସହଯୋଗ ଯୋଗାଇବେ। 

Comments are closed, but trackbacks and pingbacks are open.