ଶ୍ରୀଜିଉଙ୍କ ଦିବ୍ୟ ସୁନାବେଶ: ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

11

ଭୁବନେଶ୍ବର: ଆଜି ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ସିଂହଦ୍ୱାର ଆଗରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସୁନାବେଶ (ରାଜରାଜେଶ୍ୱର ବେଶ) ଅନୁଷ୍ଠିତ ହେଉଛି। ମହଣ ମହଣ ସୁନାରେ ସୁସଜ୍ଜିତ ମହାପ୍ରଭୁଙ୍କ ଏହି ଅଲୌକିକ ରୂପ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହାପ୍ରଭୁ ବର୍ଷକରେ ମୋଟ ୫ ଥର ସୁନାବେଶରେ ସଜ୍ଜିତ ହୋଇଥାନ୍ତି। ସେଥିମଧ୍ୟରୁ ରତ୍ନସିଂହାସନରେ ୪ ଥର ଏବଂ ବାହୁଡ଼ା ଯାତ୍ରା ପରଦିନ ରଥ ଉପରେ କେବଳ ଥରେ ଏହି ବେଶ ହୋଇଥାଏ। ଏହି ଦୁର୍ଲଭ ବେଶକୁ ‘ବଡ଼ ତଢ଼ାଉ ବେଶ’ ମଧ୍ୟ କୁହାଯାଏ। ପରମ୍ପରା ଅନୁଯାୟୀ, ନନ୍ଦିଘୋଷ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଭିତରଚ୍ଛ ମହାପାତ୍ର, ତାଳଧ୍ୱଜ ରଥରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ରେ ତଳିଚ୍ଛ ମହାପାତ୍ର ଏବଂ ଦର୍ପଦଳନ ରଥରେ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପୁଷ୍ପାଳକ ସେବାୟତମାନେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶ ଲାଗି କରାଇଥାନ୍ତି। ତିନି ଠାକୁର ଭିନ୍ନ ଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରନ୍ତି। ପୂର୍ବରୁ ପାଖାପାଖି ୧୩୮ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେଉଥିବା ବେଳେ ସମୟକ୍ରମେ ଏଥିରେ କିଛି ପରିବର୍ତ୍ତନ ଆସିଛି।

Comments are closed, but trackbacks and pingbacks are open.