ନିଯୁକ୍ତି ମେଳାରେ ୧୧୦୧ ନବନିଯୁକ୍ତଙ୍କୁ ମିଳିବ ନିଯୁକ୍ତିପତ୍ର

26

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧ତାରିଖରେ ରାଜ୍ୟ ସରକାର ଏକ ନିଯୁକ୍ତି ମେଳା ଆୟୋଜନ କରିବାକୁ ଯାଉଛନ୍ତି । ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ସମ୍ପୃକ୍ତ ବିଭାଗ ଗୁଡ଼ିକୁ ଚିଠି ଜାରି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଜାରି କରିଥିବା ଚିଠିରେ ସମସ୍ତ ସମ୍ପୃକ୍ତ ବିଭାଗକୁ ଏହି କାର୍ଯ୍ୟକୁ ‘ଅତ୍ୟନ୍ତ ଜରୁରୀ’ ଭାବେ ଗ୍ରହଣ କରି ଆବଶ୍ୟକ ପ୍ରସ୍ତୁତି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠି ଅନୁସାରେ, ଗୃହ ଓ ସହରାଞ୍ଚଳ ବିକାଶ ବିଭାଗକୁ ଏହି ନିଯୁକ୍ତି ମେଳାର ନୋଡାଲ ବିଭାଗ ଭାବେ ଦାୟିତ୍ୱ ଦିଆଯାଇଛି । ନିଯୁକ୍ତି ମେଳାରେ ମୋଟ ୧୧୦୧ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ । ସେଥିମଧ୍ୟରୁ ଗୃହ ଓ ସହରାଞ୍ଚଳ ବିକାଶ ବିଭାଗର ୩୬୪ ଜଣ ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୩୫୭ ଜଣ ଜୁନିଅର ଇଞ୍ଜିନିୟର (ସିଭିଲ୍) ରହିଛନ୍ତି । ସେହିପରି ଶକ୍ତି ବିଭାଗର ବିଭିନ୍ନ ପଦବୀରେ ୨୪୮ ଜଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ୮୬ ଜଣ, କ୍ରୀଡ଼ା ଓ ଯୁବସେବା ବିଭାଗର ୨୫ ଜଣ ଜୁନିଅର କୋଚ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୧୧ ଜଣ ସହକାରୀ ପ୍ରଶିକ୍ଷଣ ଅଧିକାରୀ ଏବଂ ଅବକାରୀ ବିଭାଗର ୧୦ ଜଣ ସବ୍-ଇନ୍ସପେକ୍ଟର ନିଯୁକ୍ତିପତ୍ର ପାଇବେ ।

Comments are closed, but trackbacks and pingbacks are open.