ରଥଯାତ୍ରାରେ ଦଳାଚକଟାଜନିତ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗଙ୍କ କଡ଼ା ଆଭିମୁଖ୍ୟ

99

ଭୁବନେଶ୍ୱର: ପୁରୀ ରଥଯାତ୍ରାରେ ବାରମ୍ବାର ଭିଡ଼ ପରିଚାଳନାରେ ତ୍ରୁଟି ଓ ଦଳାଚକଟାଜନିତ ମୃତ୍ୟୁ ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ମାନବାଧିକାର ଆୟୋଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଦ୍ୱାରା ଦାଏର ପିଟିସନ୍ ଓ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ଆଧାର କରି ଆୟୋଗ ଏହି ମାମଲାର ବିଚାର କରିବା ସହ ପୁରୀ ଜିଲ୍ଲାପାଳ ଓ ରାଜ୍ୟ ଗୃହ ସଚିବଙ୍କୁ ପରବର୍ତ୍ତୀ ଶୁଣାଣି ସୁଦ୍ଧା ତଥ୍ୟଭିତ୍ତିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ତାରିଖକୁ ଆୟୋଗ ଧାର୍ଯ୍ୟ କରିବା ସହ ଅନ୍ତରୀଣ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି। ଓଡ଼ିଶା ମାନବାଧିକାର ଆୟୋଗ ଏହି ମାମଲାର ଶୁଣାଣି କରି, ଚଳିତବର୍ଷ ପୁରୀ ରଥଯାତ୍ରାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବାକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୁରୀ ଜିଲ୍ଲାପାଳ ଓ ପୁରୀ ସିଡିଏମଓଙ୍କୁ ସୁପାରିଶ କରିଛନ୍ତି। ଏହାସହିତ ବାହୁଡ଼ା ଯାତ୍ରାବେଳେ ଯେପରି ଏଭଳି କୌଣସି ଅଭାବନୀୟ ନହୁଏ ସେଥିପାଇଁ ଗୃହ ବିଭାଗ, ପୁରୀ ଜିଲ୍ଲାପାଳ ଓ ପୁରୀ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୋଗଙ୍କ ଏହି ନିର୍ଦ୍ଦେଶନାମାକୁ ଘଟଣା ସହ ଜଡ଼ିତ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ନିକଟକୁ ଇମେଲ୍ ଓ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯାଇଛି ଏବଂ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ତାରିଖକୁ ଧାର୍ଯ୍ୟ ହୋଇଛି।

Comments are closed, but trackbacks and pingbacks are open.