ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା:ଭକ୍ତମୟ ଶ୍ରୀକ୍ଷେତ୍ର

18

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ଼ ହେବେ ଚତୁର୍ଦ୍ଧାମୂରତି, ଭକ୍ତ ଓ ଭଗବାନଙ୍କ ହେବ ମହାମିଳନ । ଏହି ପବିତ୍ର ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ଆଜିଠୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ନଅ ଦିନିଆ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ସକାଳ ୬ଟାରେ ମଙ୍ଗଳଆଳତି ପରେ ୬ଟା ୧୦ରେ ମଇଲମ, ସାଢ଼େ ୬ଟାରେ ଅବକାଶ, ୭ଟାରେ ସୂର୍ଯ୍ୟପୂଜା, ୭ଟା ୧୦ରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ୮ଟାରୁ ୯ଟା ସକାଳ ଧୂପରେ ଖେଚୁଡ଼ି ଭୋଗ ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି ଶେଷ କରିବା ନେଇ ଲକ୍ଷ୍ୟ ରହିଛି। ମଧ୍ୟାହ୍ନ ସାଢ଼େ ୧୨ଟାରୁ ୧ଟା ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିବେ। ସାଢ଼େ ଗୋଟାଏରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ଶେଷ ହେବ। ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ହେବ। ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ।ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ରଥାରୂଢ଼ ଦାରୁଦିଅଁଙ୍କ ଦର୍ଶନ କରି କୃତାର୍ଥ ହେବେ ଭକ୍ତ।ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Comments are closed, but trackbacks and pingbacks are open.