ଭୁବନେଶ୍ୱର: ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ଇଣ୍ଡିଆନ ଆଇଡଲ୍ ସିଜେନ୍-୧୬ର ଗ୍ରାଣ୍ଡ ଫିନାଲେରେ ସ୍ଥାନ ପାଇଛନ୍ତି । ଗ୍ରାଣ୍ଡ ଫିନାଲେ ପୂର୍ବରୁ ଆଜି ସେ ଓଡ଼ିଶାକୁ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଶଂସକମାନେ ତାଙ୍କର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ଏହି ଅବସରରେ ଜ୍ୟୋର୍ତିମୟୀ କହିଛନ୍ତି, “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲପାଇବା ଯୋଗୁଁ ଆଜି ମୁଁ ଇଣ୍ଡିଆନ ଆଇଡଲ୍ ଭଳି ଏକ ବଡ଼ ଜାତୀୟ ମଞ୍ଚରେ ପହଞ୍ଚି ପାରିଛି । ଆଗକୁ ଗ୍ରାଣ୍ଡ ଫିନାଲେ ଅଛି, ମତେ ବିଜୟୀ କରିବା ପାଇଁ ମୁଁ ସମସ୍ତ ଓଡ଼ିଶାବାସୀଙ୍କ ସହଯୋଗ କାମନା କରୁଛି ।” କଟକରୁ ନିଜର ଗୀତ ଗାଇବା କ୍ୟାରିୟର ଆରମ୍ଭ କରିଥିବା ଜ୍ୟୋତିର୍ମୟୀ ପୂର୍ବରୁ ଓଡ଼ିଶାରେ ପରିଚିତ ଥିଲେ । ବିଶେଷ କରି ତାଙ୍କ କଣ୍ଠର ଭଜନ ଶ୍ରୋତାଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥାଏ । ଏବେ ଇଣ୍ଡିଆନ ଆଇଡଲ୍ ମଞ୍ଚରେ ସେ ଟପ୍-୫ ଫାଇନଲିଷ୍ଟ ହୋଇ ଜାତୀୟ ସ୍ତରରେ ଓଡ଼ିଶାର ଗର୍ବ ପାଲଟିଛନ୍ତି। ଜ୍ୟୋତିର୍ମୟୀ ନିଜ ସ୍ୱର ଓ ଗୀତ ମାଧ୍ୟମରେ ଅନେକ କ୍ୟାନ୍ସର ରୋଗୀଙ୍କୁ ‘ମ୍ୟୁଜିକ୍ ଥେରାପି’ ଦେଇଥାନ୍ତି ।
Comments are closed, but trackbacks and pingbacks are open.