ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅତ୍ୟନ୍ତ ବିଷାକ୍ତ ଘାସମରା ଔଷଧ ‘ପାରାକ୍ୱାଟ୍ ଡାଇକ୍ଲୋରାଇଡ୍’ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିଷ୍ପତ୍ତି ଚୂଡ଼ାନ୍ତ ହେଲେ ଦେଶରେ ଏହାର ଆମଦାନି, ଉତ୍ପାଦନ, ବିକ୍ରୟ, ପରିବହନ, ବଣ୍ଟନ ଓ ବ୍ୟବହାର ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ। ପାରାକ୍ୱାଟ୍ ଡାଇକ୍ଲୋରାଇଡ୍ ଅତ୍ୟନ୍ତ ବିଷାକ୍ତ ହୋଇଥିବାରୁ ଏହା ଦ୍ୱାରା ଆତ୍ମହତ୍ୟା, ଦୁର୍ଘଟଣାବଶତଃ ବିଷକ୍ରିୟା ଏବଂ କେତେକ ହତ୍ୟା ଘଟଣାରେ ହଜାର ହଜାର ମୃତ୍ୟୁ ଘଟିଥିବା ନେଇ ଦୀର୍ଘଦିନ ଧରି ଚିନ୍ତା ପ୍ରକାଶ ପାଉଥିଲା। ଏହି ବିଷ ଶରୀରର ଫୁସଫୁସ, କିଡ୍ନି ଓ ଯକୃତକୁ ଗୁରୁତର କ୍ଷତି ପହଞ୍ଚାଇଥାଏ ଏବଂ ଏହାର କୌଣସି ନିର୍ଦ୍ଦିଷ୍ଟ ପ୍ରତିଷେଧକ ଔଷଧ ନାହିଁ। ବିଶ୍ୱର ୭୦ରୁ ଅଧିକ ଦେଶ ପୂର୍ବରୁ ଏହି ତୃଣନାଶକ ଉପରେ ପ୍ରତିବନ୍ଧ ଲଗାଇସାରିଛନ୍ତି। ବିଶ୍ୱରେ ନିଷିଦ୍ଧ ହୋଇଥିଲେ ମଧ୍ୟ ଭାରତରେ ଏହା ଖୋଲାଖୋଲି ବ୍ୟବହାର ହେଉଥିଲା। ବର୍ତ୍ତମାନ ଏହି ଚିଠା ବିଜ୍ଞପ୍ତି ଉପରେ ଆପତ୍ତି ଓ ପରାମର୍ଶ ଦେବା ପାଇଁ ସରକାର ସଂଶ୍ଳିଷ୍ଟ ପକ୍ଷମାନଙ୍କୁ ଜୁଲାଇ ୧୩, ୨୦୨୬ ଠାରୁ ୩୦ ଦିନର ସମୟ ଦେଇଛନ୍ତି।
Comments are closed, but trackbacks and pingbacks are open.