ପହଲଗାମ ଆଟାକ୍ ମାମଲା: ପାକିସ୍ତାନର ଷଡ଼ଯନ୍ତ୍ରକୁ ନେଇ ଏନଆଇଏର ନୂଆ ଖୁଲାସା

24

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କାବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୌଏବାର ମୁଖ୍ୟ ହାଫିଜ୍ ସଈଦକୁ ଆଜି ଜାତୀୟ ତଦନ୍ତ ସଂସ୍ଥା ଏନଆଇଏ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି । ଏନଆଇଏ ଅନୁସାରେ ହାଫିଜ ସଈଦ ଏବଂ ଏଲ୍ଇଟିର ପ୍ରତିନଧିଭାବେ କାମ କରୁଥିବା ଦ ରେଜିଷ୍ଟାଣ୍ଟ ଫ୍ରଣ୍ଟ ଉପରେ ମଧ୍ୟ ଅଭିଯୋଗ ଲଗାଯାଇଛି । ଏଥିରେ ପାକିସ୍ତାନରେ ହୋଇଥିବା ଷଡ଼ଯନ୍ତ୍ର ଓ ଆକ୍ରମଣରେ ହାଫିଜ୍ ସଈଦର ସିଧାସଳଖ ଭୂମିକା ରହିଛି । ହାଫିଜ ସଈଦ ଉପରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ୨୦୨୩ ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA), ୧୯୬୭ର ଅନେକ ଧାରା ଲାଗୁ କରାଯାଇଛି। ଏହି ଅଭିଯୋଗଗୁଡ଼ିକ ଅତ୍ୟନ୍ତ ଗମ୍ଭୀର, ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ଏବଂ ସୀମାପାର ଷଡ଼ଯନ୍ତ୍ର ମାଧ୍ୟମରେ ଏକ ରକ୍ତାକ୍ତ ଆକ୍ରମଣ ଯୋଜନା କରିବା ସମ୍ପୃକ୍ତ ରହିଛି । ପୂର୍ବରୁ ଦାଖଲ ହୋଇଥିବା ୧,୫୯୭ ପୃଷ୍ଠାର ମୁଖ୍ୟ ଚାର୍ଜସିଟ୍‌ର ଏହା ଏକ ଅଂଶ। ଏନ୍ଆଇଏ ସ୍ପଷ୍ଟ କରିଛି ଯେ ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଏହାର ପୂର୍ବ ତଦନ୍ତକୁ ଆହୁରି ମଜବୁତ କରୁଛି। ଗତ ଡିସେମ୍ବରରେ, ଏଜେନ୍ସି ପାକିସ୍ତାନ-ଭିତ୍ତିକ ହ୍ୟାଣ୍ଡଲର ସାଜିଦ ଜଟ୍ଟଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ସହିତ, ଚାର୍ଜସିଟ୍ ରେ ଜୁଲାଇ ୨୦୨୫ରେ ‘ଅପରେସନ୍ ମହାଦେବ’ ସମୟରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ତିନି ଜଣ ଆତଙ୍କବାଦୀଙ୍କ ନାମ ଉଲ୍ଲେଖ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମଧ୍ୟ ଚାର୍ଜ ଫ୍ରେମ୍ କରାଯାଇଛି। ସୂଚନା ଥାଉ ଯେ ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଧର୍ମ ପଚାରି ପଚାରି ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇଥିଲା । ଯାହା ଦ୍ୱାରା ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ବାସିନ୍ଦା ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ସମଗ୍ର ଦେଶକୁ ସ୍ତବ୍ଦ ଦେଇଥିଲା।

Comments are closed, but trackbacks and pingbacks are open.