ଉପହାର ସିନେମା ହଲ ଅଗ୍ନିକାଣ୍ଡ ମାମଲା : ଅନସାଲ ଭାଇଙ୍କୁ ୭ ବର୍ଷ ଲେଖାଏଁ ଜେଲଦଣ୍ଡ ,୫ କୋଟି ଟଙ୍କା ଜୋରିମାନା

20

ଦୀର୍ଘ ୨୪ ବର୍ଷ ପରେ ବହୁ ଚର୍ଚ୍ଚିତ ଦିଲ୍ଲୀ ଉପହାର ସିନେମା ହଲ ଅଗ୍ନିକାଣ୍ଡ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟବସାୟୀ ସୁଶୀଲ ଓ ଗୋପାଲ ଅନସଲଙ୍କୁ ୭ ବର୍ଷ ଲେଖାଏ ଜେଲଦଣ୍ଡ ମିଳିଛି। ୮ ଅକ୍ଟୋବରରେ ପଟିୟାଲା ହାଉସ୍ କୋର୍ଟରେ ସୁଶୀଲ ଓ ଗୋପାଳ ଅନସଲ ବ୍ରଦର୍ସ ସମେତ ଦିନେଶ ଚନ୍ଦ୍ର ଶର୍ମା ଏବଂ ପିପି ବତ୍ରା ଓ ଅନୁପ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଉପହାର ସିନେମା ଅଗ୍ନିକାଣ୍ଡ ମାମଲାରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା

ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ଅନୁସାରେ ଏଫଆଇଆର ରୁଜୁ କରାଯାଇଥିଲା Iଏଥିରେ ଆଇପିସି ଧାରା ୧୨୦ ବି, ୧୦୯, ୨୦୧ ଓ ୪୦୯ ଅଧିନରେ ଅପରାଧ କରିବା ମାମଲାରେ ମାମଲା ରୁଜୁ ହୋଇଥିଲା । ଏହା ସହିତ ​ଉଭୟ ଭାଇଙ୍କୁ ୨.୫ କୋଟି ଲେଖାଏ ଅର୍ଥାତ ମୋଟ ୫ କୋଟି ଜୋରିମାନା ଦାଖଲ କରିବାକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପହାର ଅଗ୍ନିକାଣ୍ଡ ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ହର ସ୍ୱରୂପ ପନୱର ଓ ଧର୍ମବୀର ମାଲହୋତ୍ରା ଶୁଣାଣି ସମୟରେ ହିଁ ପ୍ରାଣ ହରାଇ ସାରିଛନ୍ତି।

ସୂଚନାଯୋଗ୍ୟ, ୧୯୯୭ ଜୁନ ୧୩ରେ ବଲିଉଡ ଫିଲ୍ମ ‘ବର୍ଡର’ ଉପହାର ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା। ଫିଲ୍ମ ଚାଲିଥିବା ବେଳେ ହଠାତ୍‌ ହଲ୍‌ରେ ନିଆଁ ଲାଗି ଯାଇଥିଲା। ଏଥିରେ ୫୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଦଳାଚକଟାରେ ଆହତ ହୋଇଥିଲେ। ହଲ୍‌ରେ କୌଣସି ପ୍ରକାରର ନିଆଁ ଲିଭା ପାଇଁ ବ୍ୟବସ୍ଥା କରାଯାଇ ନଥିବାରୁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଥିଲା। ଶେଷରେ ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ଅନସଲ ଭ୍ରଦର୍ସ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପୂର୍ବରୁ ଉପହାର ସିନେମା ହଲ ଅଗ୍ନିକାଣ୍ଡ ଘଟଣାରେ ଅନସଲ ଭ୍ରାତାଙ୍କୁ ସୁପ୍ରିମକୋର୍ଟ ୨ ବର୍ଷ ଜେଲ ହାଜତକୁ ପଠାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ୩୦ କୋଟି ଲେଖାଏ ଜୋରିମାନା ଦେଇ ସେମାନେ ଜେଲରୁ ବାହାରିଥିଲେ।
ଅନସଲ ବ୍ରଦର୍ସଙ୍କ ବ୍ୟତୀତ ଆଜି କୋର୍ଟର ପୂର୍ବତନ କର୍ମଚାରୀ ଦୀପେଶ ଚାନ୍ଦ ଶର୍ମା ଓ ଅନ୍ୟ ଦୁଇ ଜଣ ପିପି ବାତ୍ରା ଏବଂ ଅନୂପ ସିଂହଙ୍କୁ ମଧ୍ୟ ୭ ବର୍ଷ ଲେଖାଏ ଜେଲ ଦଣ୍ଡ ମିଳିଛି। ଏମାନଙ୍କୁ ୩ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦାଖଲ କରିବାକୁ ମଧ୍ୟ ପଡ଼ିବ।

କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି, ଘଟଣାର ଆଇନଗତ ଲଢ଼େଇ ପାଇଁ ଉପହାର ଭିକ୍ଟିମ ଆସୋସିଏସନ ସବୁ ପ୍ରକାରର ଆର୍ଥିକ ସହାୟତା କରିଛି। ଶୁଣାଣି ବେଳେ ଆସୋସିଏସନ୍‌ ଖର୍ଚ୍ଚ କରିଥିବା ଅର୍ଥ ଉପହାର ସିନେମା ହଲର ମାଲିକ ଅନସଲ ବ୍ରଦର୍ସ ଦେବେ।

Leave A Reply

Your email address will not be published.