ସୁବାସିତ ଜଳରେ ଜଳାଭିଷେକ: ୧୦୮ ଗରାରେ ସ୍ନାନ କଲେ କାଳିଆ ସାଆନ୍ତ, ହରିବୋଲ ଧ୍ୱନି ଓ ଭକ୍ତିର ଅଶ୍ରୁରେ ଭାସିଲା ଶ୍ରୀକ୍ଷେତ୍ର

32

ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ଆଜି ଅପୂର୍ବ ଆଧ୍ୟାତ୍ମିକ ପରିବେଶ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଅପୂର୍ବ ଅବସରରେ ସ୍ନାନବେଦୀ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ସ୍ନାନନୀତି ସମ୍ପନ୍ନ ହୋଇଛି। ଆନନ୍ଦ ଓ ଉଲ୍ଲାସର ସହ ଧାଡ଼ି ପହଣ୍ଡିରେ ରତ୍ନବେଦୀ ଛାଡ଼ି ସ୍ନାନମଣ୍ଡପକୁ ବିଜେ କରିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ୧୦୮ ଗରା ସୁବାସିତ ଅଧିବାସ ଜଳରେ ମହାସ୍ନାନ କରାଯାଇଛି। କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କର ଏହି ମହାମାନବୀୟ ଲୀଳାର ସାକ୍ଷୀ ହେବା ପାଇଁ ଆଜି ପୁରୀ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର ଦେଖିବାକୁ ମିଳିଛି। କାହା ହାତରେ ତୁଳସୀ, କାହା ମୁହଁରେ “ଜୟ ଜଗନ୍ନାଥ”ର ଗମ୍ଭୀର ଧ୍ୱନି, ଆଉ କାହା ଆଖିରେ କାଳିଆ ଠାକୁରଙ୍କୁ ପାଖରୁ ଦେଖିବାର ଭକ୍ତିର ଅଶ୍ରୁ। ବହୁ ଦିନର ପ୍ରତୀକ୍ଷା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନବେଦୀରେ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ସନାତନ ସଂସ୍କୃତିରେ ବିଶ୍ୱାସ ରହିଛି ଯେ ସ୍ନାନପୂର୍ଣ୍ଣିମାରେ ସ୍ନାନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୁଏ, ସେଥିପାଇଁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆଜିର ଦିନଟି କେବଳ ଏକ ପର୍ବ ନୁହେଁ, ବରଂ ଏକ ଦିବ୍ୟ ଆଧ୍ୟାତ୍ମିକ ଅନୁଭୂତି ପାଲଟିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାହାଣମେଲା ଦର୍ଶନର ବ୍ୟବସ୍ଥା କରାଯାଇଥିବା ବେଳେ ରଥଖଳାରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା, ଯେଉଁଠି ଭାବାବେଶରେ କିଛି ସମୟ ପାଇଁ ବ୍ୟାରିକେଡ୍ ଭାଙ୍ଗି ଭକ୍ତମାନେ ଧସେଇ ପଶିଥିଲେ। ବର୍ତ୍ତମାନ ଘଣ୍ଟ, ଘଣ୍ଟା, ଶଙ୍ଖ ଓ ହରିବୋଲ ଧ୍ୱନିରେ ସାରା ଶ୍ରୀକ୍ଷେତ୍ର ପ୍ରକମ୍ପିତ ହେଉଛି। ମହାସ୍ନାନର ଏହି ପବିତ୍ର ନୀତି ପରେ ମହାପ୍ରଭୁ ବର୍ଷକରେ ମାତ୍ର ଥରେ ଦେଉଥିବା ତାଙ୍କର ଅତ୍ୟନ୍ତ ଦୁର୍ଲଭ ଓ ଆକର୍ଷଣୀୟ ଗଜାନନ ବେଶ ବା ହାତୀବେଶ ଧାରଣ କରିବେ, ଯାହାକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତିର ସ୍ରୋତ ଛୁଟିବାରେ ଲାଗିଛି।

Comments are closed, but trackbacks and pingbacks are open.