ଜୟଦେବ ବିହାରରେ ଚଳନ୍ତା କାର୍‌ରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଚାଳକ ଓ ଯାତ୍ରୀ

30

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅଳ୍ପକେ ବର୍ତ୍ତିଯାଇଛି ଏକ ବଡ଼ ଅଘଟଣ। ସ୍ଥାନୀୟ ଜୟଦେବ ବିହାରସ୍ଥିତ ‘ପାଲ୍ ହାଇଟ୍ସ’ ମଲ୍ ନିକଟରେ ଏକ ଚଳନ୍ତା କାର୍‌ରେ ହଠାତ୍‌ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ଆତଙ୍କ ପ୍ରେଳାଖେଳି ଯାଇଥିଲା। ଦେଖୁ ଦେଖୁ ସମ୍ପୂର୍ଣ୍ଣ ଗାଡ଼ିଟି ହୁତୁହୁତୁ ହୋଇ ଜଳିଯାଇଥିବା ବେଳେ ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ଘଟିନାହିଁ। ସୂଚନା ଅନୁଯାୟୀ, କାର୍‌ରୁ ଧୂଆଁ ବାହାରୁଥିବା ଦେଖି ଚାଳକ ଜଣକ ତୁରନ୍ତ ଗାଡ଼ିଟିକୁ ରାସ୍ତା କଡ଼ରେ ରଖି ବାହାରକୁ ଚାଲିଆସିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ନିଆଁ ଆଖପାଖକୁ ବ୍ୟାପିପାରି ନଥିଲା। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣା ଯୋଗୁଁ କିଛି ସମୟ ପାଇଁ ଜୟଦେବ ବିହାର ରୋଡ୍‌ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।

Comments are closed, but trackbacks and pingbacks are open.