ନୟାଗଡ଼: ନୟାଗଡ଼ ଜିଲ୍ଳା ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କ ନାମରେ ଜନୈକା ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ବୁଧବାର ମହିଳା ନୟାଗଡ଼ ଏସ୍ପିଙ୍କୁ ଦେଖା କରି ଅଭିଯୋଗ କରିଥିଲେ। ସୁଜିତଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ତୁରନ୍ତ ବଦଳି ନିର୍ଦେଶ ଦିଆଯାଇଛି l ମହିଳାଙ୍କ ଅଭିଯୋଗ ଆଧାରରେ ଶରଣକୁଳ ଥାନା ଅଧିକାରୀ ସୁଜିତଙ୍କ ନାମରେ ରୁଜୁ ହେଲା ମାମଲା I ରାଜ୍ୟ ପୋଲିସ ବିଭାଗ ମହିଳାଙ୍କ ଏହି ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଛି l ଏହି ଘଟଣାର ସଠିକ୍ ତଦନ୍ତ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଦ୍ୱାରା କରାଯିବ ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତଦନ୍ତ ପରେ ରିପୋର୍ଟ ଆଧାରରେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୟାଗଡ଼ ଏସପି କହିଛନ୍ତି।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଶରଣକୁଳ ଥାନା ଅଞ୍ଚଳର ଜଣେ ମହିଳାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଜାଗାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା । ଗ୍ରାମବାସୀ ମହିଳାଙ୍କ ଘର ଭାଙ୍ଗିଦେଇଥିଲେ । ମହିଳା ଶରଣକୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ମହିଳାଙ୍କୁ ମାମଲାରେ ସହଯୋଗ କରିବାକୁ କହି ଫୋନ୍ ନମ୍ବର ନେଇଥିଲେ। କିଛି ଦିନ ଫୋନ୍ରେ କଥା ହେବା ପରେ ମହିଳାଙ୍କ ଫୋନ୍କୁ ଅଶ୍ଳୀଳ ଫଟୋ ପଠାଇଲେ । ଭିଡିଓ କଲ୍ କରି ନିଜ ଶରୀର ପ୍ରଦର୍ଶନ କରିବା ସହ ମହିଳାଙ୍କୁ ବି ବାଧ୍ୟ କରୁଥିଲେ । ହେଲେ ମହିଳା ରାଜି ହୋଇ ନଥିଲେ । କିଛି ଦିନ ତଳେ ମହିଳା ନୟାଗଡ଼ ପିଟିଏସ୍ ଛକରେ ଠିଆହୋଇଥିବାବେଳେ ଥାନା ଅଧିକାରୀ ତାଙ୍କୁ ଦେଖି ଗାଡ଼ିରେ ନିଜ ଭଡ଼ାଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ଏ ସଂପର୍କରେ କାହାରିକୁ କହିଲେ ତୋ ବାପା, ଭାଇଙ୍କୁ ବାନ୍ଧି ଜେଲ୍ ପଠାଇଦେବି ବୋଲି ଥାନା ଅଧିକାରୀ ଧମକ ଦେଇଥିଲେ । ହେଲେ ମହିଳା ଆପତ୍ତିଜନକ ଭିଡିଓରୁ ଏକ ଫଟୋ ସୋସିଆଲ ମିଡିଆରେ ଛାଡ଼ିଦେଇଥିଲେ ଯାହାକୁ ନେଇ ସେ ଶରଣକୁଳ ବ୍ୟାଙ୍କ ଆଗରେ ଠିଆହୋଇଥିବା ବେଳେ ଥାନା ଅଧିକାରୀ ଗତ ୨୮ ତାରିଖରେ ତାଙ୍କୁ ଜବରଦସ୍ତ ଟଣାଓଟରା କରି ଥାନାକୁ ଉଠାଇ ନେଇଥିଲେ ଏବଂ ମିଛ ମାମଲାରେ ଜେଲ୍ ପଠାଇଦେଲେ । ଗତ ୧୨ ତାରିଖରେ ସେ ଜାମିନରେ ଆସିଥିବା କହିଛନ୍ତି । ଏହାର ତଦନ୍ତ କରାଯାଇ ଥାନା ଅଧିକାରୀଙ୍କୁ ଦଣ୍ଡ ଦେବାକୁ ମହିଳା ନିବେଦନ କରିଛନ୍ତି । ମହିଳାଙ୍କ ଅଭିଯୋଗର ସତ୍ୟତା ଥିଲେ ଆଇନ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି ।
Comments are closed, but trackbacks and pingbacks are open.