ଭୁବନେଶ୍ବର: ପୁରୀ ରେଳଷ୍ଟେସନର ନବୀକରଣ ତଥା ନୂତନ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ପୁରୀକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆଗମନ ନିରନ୍ତର ବୃଦ୍ଧି ପାଉଥିବାରୁ ଯାତ୍ରୀଙ୍କୁ ଅଧିକ ଉନ୍ନତ ସୁବିଧା ସୁଯୋଗ ଯୋଗାଇଦେବାକୁ ରେଳ ବିଭାଗ ପକ୍ଷରୁ ଏହି ବଡ଼ ଧରଣର ପୁନର୍ବିକାଶ କାର୍ଯ୍ୟ ଚାଲିଛି । ଏହି ପ୍ରକଳ୍ପ ମାଧ୍ୟମରେ ପୁରୀକୁ ଏକ ବିଶ୍ୱସ୍ତରୀୟ ରେଳଷ୍ଟେସନରେ ପରିଣତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ପ୍ରାୟ ୧୭୭ କୋଟି ଟଙ୍କା ବ୍ୟୟରେ ପୁରୀ ରେଳଷ୍ଟେସନର ମେଗା ରୂପାନ୍ତରଣ କରାଯାଉଛି । ଦୈନିକ ପ୍ରାୟ ୬୦ ହଜାର ଯାତ୍ରୀଙ୍କୁ ସେବା ଯୋଗାଇବା ଭଳି ଏହାର ରୂପରେଖ ପ୍ରସ୍ତୁତ ହୋଇଛି । ଏହି ପ୍ରକଳ୍ପରେ ଓଡ଼ିଶାର ପାରମ୍ପରିକ ମନ୍ଦିର ଶୈଳୀର ସ୍ଥାପତ୍ୟ ସହିତ ଆଧୁନିକ ସୁବିଧାର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିବ । ଯେଉଁଥିରେ ଏକ ନୂତନ ତିନି ମହଲା ବିଶିଷ୍ଟ ଟର୍ମିନାଲ୍ ଭବନ, ଅତ୍ୟାଧୁନିକ ବିଶ୍ରାମ କକ୍ଷ, ଏସ୍କାଲେଟର (ଚଳନ୍ତା ସିଡ଼ି) ଏବଂ ବ୍ୟାପକ ପାର୍କିଂ ବ୍ୟବସ୍ଥା ଅନ୍ତର୍ଭୁକ୍ତ ।
Comments are closed, but trackbacks and pingbacks are open.