ନୂଆଦିଲ୍ଲୀ: ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ସହ ‘ବିକଶିତ ଓଡ଼ିଶା’ର ଏକ ଦୂରଦର୍ଶୀ ରୋଡମ୍ୟାପ୍ ଉପସ୍ଥାପନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରି ମୋହନ ମାଝୀ କହିଥିଲେ ଯେ, ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ଭାରତର ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବା ଓ ବିକଳ୍ପ ଇନ୍ଧନକୁ ପ୍ରୋତ୍ସାହନ ଦେବା ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଦେଶକୁ ନୂଆ ଦିଗ ଦେଉଛି।୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ୭.୯ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବା ବେଳେ ରାଜ୍ୟର ଋଣ ଓ ଆର୍ଥିକ ନିଅଣ୍ଟ FRBM ମାନଦଣ୍ଡ ମଧ୍ୟରେ ରହିଛି। ଏହାର ପ୍ରତିଫଳ ସ୍ୱରୂପ ନୀତି ଆୟୋଗର Fiscal Health Index-2026ରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହା ରାଜ୍ୟର ସୁଦୃଢ଼ ଆର୍ଥିକ ପରିଚାଳନା ଓ ଦାୟିତ୍ୱବୋଧର ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ରେଳ ବିକାଶ ପାଇଁ ଓଡ଼ିଶାକୁ ୧୦,୯୨୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ରାଜ୍ୟରେ ୯୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।ସାଗରମାଳା ଓ PM ଗତିଶକ୍ତି ଯୋଜନା ମାଧ୍ୟମରେ ଓଡ଼ିଶା ପୂର୍ବ ଭାରତର ଏକ ବୃହତ୍ ଲଜିଷ୍ଟିକ୍ସ ଓ ସାମୁଦ୍ରିକ କେନ୍ଦ୍ରରେ ପରିଣତ ହେଉଛି। ପ୍ରସ୍ତାବିତ ବାହୁଦା ଡିପ୍ ସି ପୋର୍ଟ ଓ ନ୍ୟାସନାଲ୍ ୱାଟରୱେ-୫ ରାଜ୍ୟର ବାଣିଜ୍ୟ ଓ ରପ୍ତାନି କ୍ଷମତାକୁ ନୂଆ ଉଚ୍ଚତାକୁ ନେବ। ଏହାସହ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ ଅଧୀନରେ ଦୁଇଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରି ମିଳିବା ରାଜ୍ୟକୁ ଉନ୍ନତ ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନର ଏକ ନୂଆ ହବ୍ ଭାବେ ଗଢ଼ି ତୋଳିବ। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା ଅଧୀନରେ ଝିଅମାନଙ୍କୁ ସର୍ତ୍ତମୂଳକ ଆର୍ଥିକ ସହାୟତା ସହ ପରିପକ୍ୱତା ବେଳେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ଏହା ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।ରାଜ୍ୟର ୧୦ଟି ITIକୁ ‘ଉତ୍କର୍ଷ ITI’ରେ ପରିଣତ କରାଯାଉଥିବା ବେଳେ ପ୍ରତ୍ୟେକରେ ୧୦୦ କୋଟି ଟଙ୍କା ନିବେଶ ହେବ। ଏହାସହ ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ସମ୍ପ୍ରସାରଣ, PM SETU ଯୋଜନା କାର୍ଯ୍ୟକାରୀ କରିବା ଓ ନୂଆ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଯୋଜନା ରହିଛି।କ୍ରୀଡ଼ା କ୍ଷେତ୍ରରେ ଦେଶରେ ପ୍ରଥମ ଥର ପାଇଁ ୩୧୪ଟି ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରାଯାଉଛି। ସେହିପରି AgriStack, Ama Sathi ଭଳି ଡିଜିଟାଲ୍ ପ୍ଲାଟଫର୍ମ ଓ AIର ବ୍ୟବହାର ମାଧ୍ୟମରେ ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଜନମୁଖୀ କରାଯାଉଛି।“ବିକଶିତ ଭାରତର ସ୍ୱପ୍ନ ସାକାର ହେବା ସହ ଓଡ଼ିଶା ଦେଶର ଏକ ଶକ୍ତିଶାଳୀ ସ୍ତମ୍ଭ ଭାବେ ଉଭା ହେବ,” ବୋଲି ନୀତି ଆୟୋଗ ମଞ୍ଚରୁ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Comments are closed, but trackbacks and pingbacks are open.