କ୍ରାଇମ୍‌ବ୍ରାଞ୍ଚ୍‌ ହାତରେ ସୌମ୍ୟଙ୍କ ଡାଏରୀ: ଖୋଲିବ ସମ୍ପର୍କ, ବିବାଦ, ଆର୍ଥିକ କାରବାର ଗୁମର

37

ଭୁବନେଶ୍ବର: ଜିଆର୍‌ପି କନ୍‌ଷ୍ଟେବଲ୍ ସୌମ୍ୟରଂଜନ ସ୍ୱାଇଁ ଭିଡ଼ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ହାତରେ ଏକ ଡାଏରୀ ଲାଗିଛି । ଉକ୍ତ ଡାଏରୀଟି ସୌମ୍ୟଙ୍କର ଜଣେ ସାଙ୍ଗ ତଦନ୍ତକାରୀ ଟିମ୍‌କୁ ଦେଇଛନ୍ତି । ଏଥିରେ ସୌମ୍ୟ ନିଜର ନିତିଦିନିଆ ଘଟଣାବଳୀ ଲେଖୁଥିଲେ । ଚାକିରିଠୁ ଆରମ୍ଭ କରି ଜିମ୍, ଆର୍ଥିକ ଦେଣନେଣ ଓ କିଛି ବିବାଦ ସମ୍ପର୍କିତ ବିଷୟ ଏହି ଡାଏରୀରେ ଲେଖାଯାଇଛି । କ୍ରାଇମ୍‌ବ୍ରାଞ୍ଚ୍ ଉକ୍ତ ଡାଏରୀରେ ଉଲ୍ଲେଖ ତଥ୍ୟକୁ ଯାଞ୍ଚ୍ କରୁଛି । ଏଥିରୁ ସୌମ୍ୟଙ୍କ ସମ୍ପର୍କରେ ଥିବା କିଛି ଅସମାହିତ ପ୍ରଶ୍ନ ବିଷୟରେ ଅଧିକ ତଥ୍ୟ ମିଳିପାରେ ବୋଲି କ୍ରାଇମ୍‌ବ୍ରାଞ୍ଚ୍ ଆଶା ରଖିଛି । ସୌମ୍ୟରଂଜନ ଭିଡ଼ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ କଲା ବେଳେ ସୌମ୍ୟଙ୍କ ସହିତ ସମ୍ପର୍କ ଥିବା ଏକାଧିକ ବ୍ୟକ୍ତିଙ୍କୁ ତଦନ୍ତରେ ସହଯୋଗ କରିବାକୁ ନୋଟିସ୍ କରିଥିଲା । ଏହି କ୍ରମରେ ସୌମ୍ୟଙ୍କ ଘନିଷ୍ଠ ସାଙ୍ଗ ନିଆଳି ଅଞ୍ଚଳର ନିଶିକାନ୍ତ ମହାନ୍ତି ଓ ଅନ୍ୟ କିଛି ଯୁବକ ଶନିବାର ଦିନ କ୍ରାଇମ୍‌ବ୍ରାଞ୍ଚରେ ହାଜର ହୋଇଥିଲେ । ତଦନ୍ତକାରୀ ଟିମ୍ ନିଶିକାନ୍ତ ମହାନ୍ତିଙ୍କୁ ସୌମ୍ୟଙ୍କ ବିଷୟରେ ବିଭିନ୍ନ ପ୍ରଶ୍ନ କରିଛି । ଚାକିରି ପୂର୍ବରୁ ସୌମ୍ୟଙ୍କ ଦୈନଦିନ ଜୀବନ କିଭଳି ଥିଲା, ତାଙ୍କର କାହା ସହିତ ବ୍ୟକ୍ତିଗତ ଶତ୍ରୁତା ଥିଲାକି ନାହିଁ, କେଉଁ କାରଣରୁ ସେ ମାନସିକ ଚାପରେ ରହୁଥିଲେ ବୋଲି ପ୍ରଶ୍ନ କରାଯାଇଛି । ସୌମ୍ୟଙ୍କ ସହିତ ହ୍ୱାଟ୍ସଆପ୍‌ରେ ହୋଇଥିବା କିଛି ଚାଟ୍ର ସ୍କ୍ରିନ୍-ସଟ୍ ସହ ଏକ ଡାଏରୀକୁ ନିଶିକାନ୍ତ ଶନିବାର କ୍ରାଇମ୍‌ବ୍ରାଞ୍ଚ୍ ଟିମ୍‌କୁ ଦେଇଛନ୍ତି । ଉକ୍ତ ଡାଏରୀରେ ସୌମ୍ୟ ନିଜର ବ୍ୟକ୍ତିଗତ କଥା ଲେଖୁଥିଲେ । କେଉଁମାନେ ତାଙ୍କୁ ମାନସିକ ଚାପ ଦେଉଥିଲେ ସେନେଇ ମଧ୍ୟ ସୌମ୍ୟ ଡାଏରୀରେ ଉଲ୍ଲେଖ କରିଥିବା ବିଷୟ ନିଶିକାନ୍ତ ଜଣାଇଛନ୍ତି । ଏମିତିକି ଜଣେ ଆଇପିଏସ୍ ଅଧିକାରୀ ଏବଂ ଭୁବନେଶ୍ୱରର ଜିମ୍ ମାଲିକ ବାରମ୍ୱାର ଧମକଚମକ ଦେଉଥିବାରୁ ସେ ମାନସିକ ଚାପରେ ରହିବା ସହ ଚାକିରି ଛାଡ଼ିବାକୁ ଚିନ୍ତା କରୁଥିଲେ ବୋଲି ସୌମ୍ୟ ଡାଏରୀରେ ଲେଖିଥିଲେ ବୋଲି ନିଶିକାନ୍ତ କହିଛନ୍ତି । 

Comments are closed, but trackbacks and pingbacks are open.