ମୋଦି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଇଣ୍ଡିଆ ମେଣ୍ଟ!: ଆସନ୍ତାକାଲି ବୈଠକରେ ଯୋଗଦେବେ ୨୩ଟି ଦଳ

32

ନୂଆଦିଲ୍ଲୀ: ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ ଆଗାମୀ ୨୦୨୯ ଲୋକସଭା ନିର୍ବାଚନ ରଣନୀତି ଉପରେ ଚର୍ଚ୍ଚା ପାଇଁ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ସମ୍ବିଧାନ କ୍ଲବରେ ‘ଇଣ୍ଡିଆ’ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିରୋଧୀ ଏକତାକୁ ଅଧିକ ମଜବୁତ କରିବା ସହ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ନେଇ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ସମେତ ୨୩ଟି ରାଜନୈତିକ ଦଳର ବରିଷ୍ଠ ନେତା ଯୋଗଦେବେ। ଏହାଛଡ଼ା ଶିବସେନା (ଉଦ୍ଧବ ଗୋଷ୍ଠୀ) ପକ୍ଷରୁ ସଞ୍ଜୟ ରାଉତ ଏବଂ ଏନସିପି (ଶରଦ ପାୱାର ଗୋଷ୍ଠୀ) ପକ୍ଷରୁ ସୁପ୍ରିୟା ସୁଲେ ମଧ୍ୟ ଏହି ବୈଠକରେ ପ୍ରତିନିଧିତ୍ୱ କରିବେ। ତେବେ ମେଣ୍ଟର ପ୍ରମୁଖ ସହଯୋଗୀ ଏମ.କେ. ଷ୍ଟାଲିନଙ୍କ ଡିଏମକେ ଦଳ ଏହି ବୈଠକରେ ସାମିଲ ହେବ ନାହିଁ। ସୂତ୍ର ଅନୁଯାୟୀ, ଡିଏମକେ ବର୍ତ୍ତମାନ ପାଇଁ ଏହି ବୈଠକରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି। ଅପରପକ୍ଷରେ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଜୟରାମ ରମେଶ କହିଛନ୍ତି ଯେ, ମୋଟ ୨୩ଟି ଆଞ୍ଚଳିକ ଓ ରାଷ୍ଟ୍ରୀୟ ଦଳ ଏହି ବୈଠକରେ ଯୋଗଦେବା ନେଇ ସ୍ପଷ୍ଟ କରିଛନ୍ତି। କିଛି ଦଳ ନିଜସ୍ୱ କାରଣରୁ ଏଥିରେ ଅଂଶଗ୍ରହଣ କରିପାରୁ ନଥିଲେ ମଧ୍ୟ ସେମାନେ ସର୍ବସମ୍ମତ ଭାବେ ମୋଦି ସରକାରଙ୍କ ନୀତି ଓ କାର୍ଯ୍ୟପ୍ରଣାଳୀର ବିରୋଧ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.