ଥାଇଲାଣ୍ଡରେ ଫସିଛନ୍ତି ଓଡ଼ିଆ ଶ୍ରମିକ: ଉଦ୍ଧାର ପାଇଁ ଆକୁଳ ନିବେଦନ

31

ଭୁବନେଶ୍ବର: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲାଣ୍ଡକୁ ଦାଦନ ଖଟିବାକୁ ଯାଇ ସେଠାରେ ବନ୍ଧକ ଅବସ୍ଥାରେ ଫସି ରହିଛନ୍ତି ଓଡ଼ିଶାର ଚାରିଜଣ ଶ୍ରମିକ। ଦୀର୍ଘ ଚାରି ମାସ ହେବ ସେମାନଙ୍କୁ ଦରମା ମିଳିନଥିବା ବେଳେ ବର୍ତ୍ତମାନ ସେମାନଙ୍କ ଦିନ ଭୋକ ଉପବାସରେ କଟୁଛି। ସେମାନଙ୍କ ପାଖରେ ପାସପୋର୍ଟ ମଧ୍ୟ ନାହିଁ। ନିଜକୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବା ପାଇଁ ସେମାନେ ଭିଡିଓ ମାଧ୍ୟମରେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।ଅଭିଯୋଗ ଅନୁଯାୟୀ, କମ୍ପାନୀ ମାଲିକ ସେମାନଙ୍କ ପାସପୋର୍ଟ ଛଡ଼ାଇ ନେଇଥିବା ବେଳେ ଗତ ୪ ମାସ ହେବ କୌଣସି ପ୍ରାପ୍ୟ ଦେଇନାହାନ୍ତି। ଏପରିକି କାମକୁ ନଗଲେ ସେମାନଙ୍କୁ ପୁଲିସରେ ଧରାଇଦେବା ସହ କମ୍ପାନୀ ମାଲିକ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଭିଡିଓରେ ଶ୍ରମିକମାନେ ପ୍ରକାଶ କରିଛନ୍ତି। ଏହି ସଂକଟଜନକ ପରିସ୍ଥିତିରେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଶ୍ରମିକ ଓ ସେମାନଙ୍କ ପରିବାର ବର୍ଗ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ଫସିରହିଥିବା ଓଡ଼ିଆ ଶ୍ରମିକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଗୋବକ୍ଷଙ୍ଗ ଗାଁର କ୍ଷୀରୋଦ ଦାସ, ପୋଇଝାରିଆ ଗାଁର ମନୋଜ ମଲିକ, ନହୁଣୀ ଗାଁର କୈଳାଶ ସେଠି ଏବଂ ଆଳି ବ୍ଲକ ପଦନୀପାଳ ଗାଁର ନିତ୍ୟାନନ୍ଦ ମଳିକ। ଏମାନଙ୍କ ସହିତ ଉତ୍ତର ପ୍ରଦେଶର ରାଜକୁମାର ନାମକ ଜଣେ ଶ୍ରମିକ ମଧ୍ୟ ସେଠାରେ ଫସି ରହିଛନ୍ତି।

Comments are closed, but trackbacks and pingbacks are open.