ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା:ଅପରାଜିତା

24

ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ,ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର

ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲ କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର ସର୍ବାଙ୍ଗୀନ ଉନ୍ନତି ପାଇଁ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକ ମାନ୍ୟବର ଲୋକସଭା ସାଂସଦ ତଥା AAC ଅଧ୍ୟକ୍ଷା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନ ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱରର ଇଣ୍ଟିଗ୍ରେଟେଡ୍ ଅଫିସ୍ କମ୍ପ୍ଲେକ୍ସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।

ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI), ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ମାନ୍ୟବର ଲୋକସଭା ସାଂସଦ ଏବଂ ବିମାନବନ୍ଦର ପରାମର୍ଶଦାତା କମିଟିର ଅନ୍ୟ ସଦସ୍ୟମାନଙ୍କର ସଂକ୍ଷିପ୍ତ ପରିଚୟ ପରେ, ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ବିମାନବନ୍ଦର ପରାମର୍ଶଦାତା କମିଟିର ଆବାହକ ତଥା ବି.ପି.ଆଇ. ବିମାନବନ୍ଦର, ଭୁବନେଶ୍ୱରର ନିର୍ଦ୍ଦେଶକ ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିମାନ ଚଳାଚଳ, ଯାତ୍ରୀ ସଂଖ୍ୟା ବୃଦ୍ଧି, କାର୍ଗୋ ପରିଚାଳନା, ବିମାନବନ୍ଦର ସେବା ଗୁଣବତ୍ତା (ASQ) ମୂଲ୍ୟାୟନର ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଚାଲୁଥିବା ଏବଂ ନୂତନ ପ୍ରକଳ୍ପ ସହ ଯାତ୍ରୀ ଅଭିଜ୍ଞତାର ଉନ୍ନତି ପାଇଁ ନିଆଯାଇଥିବା ନୂତନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ଏଥିସହିତ ଏରୋବ୍ରିଜ୍ ଗୁଡିକର ସଂଖ୍ୟା ବୃଦ୍ଧି ଏବଂ ସେଗୁଡ଼ିକର ଦକ୍ଷ ଓ ପ୍ରଭାବଶାଳୀ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏୟାର ହୋଷ୍ଟେସ୍ ହେବାକୁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ପରିଚୟ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହିତ ଜୟପୁର, ସୁରତ, ଶିର୍ଡି, ତିରୁପତି ଏବଂ ଭୋପାଳକୁ ନୂତନ ବିମାନ ସଂଯୋଗ ଆରମ୍ଭ କରିବା ନେଇ ଆଲୋଚନା କରାଯାଇଥିଲା। ବିମାନବନ୍ଦର ଟର୍ମିନାଲ ଭିତରେ ଏକ ପୁସ୍ତକ ଦୋକାନ ସ୍ଥାପନର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ ଯଥାଶୀଘ୍ର ଏହା କରାଯିବ ବୋଲି କହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

Comments are closed, but trackbacks and pingbacks are open.