ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର କଳାବାଦଲ ଘନେଇବାରେ ଲାଗିଛି । ତିନୋଟି ପ୍ରମୁଖ ଦେଶରେ ଥିବା ଆମେରିକା ସୈନ୍ୟ ଆଡ୍ଡା (Air Base) ଉପରେ ଇରାନ ପକ୍ଷରୁ ଘନଘନ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଇରାନ ସେନାର ପ୍ରବଳ ମିସାଇଲ୍ ମାଡ଼ ଏବଂ ଆତ୍ମଘାତୀ ଡ୍ରୋନ୍ ଆକ୍ରମଣରେ ଆମେରିକାର ଏୟାରବେସ୍ ଗୁଡ଼ିକ ଥରହର ହୋଇଉଠିଛି । କୁଏତ, ଇରାକ ଏବଂ ବାହାରିନରେ ସକ୍ରିୟ ଥିବା ଆମେରିକୀୟ ସୈନ୍ୟ ଛାଉଣୀକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି । ଏହି ବଡ଼ଧରଣର ଆକ୍ରମଣ ପରେ କୁଏତ ସେନା ପକ୍ଷରୁ ଏକ ଜରୁରୀକାଳୀନ ବିବୃତି ଜାରି କରାଯାଇଛି । ସେନା କହିଛି ଯେ, ଶତ୍ରୁପକ୍ଷର କ୍ଷେପଣାସ୍ତ୍ର (ମିସାଇଲ୍) ଏବଂ ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଆକାଶମାର୍ଗରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣ ଗୁଡ଼ିକ ଶତ୍ରୁର ମିସାଇଲକୁ ଆକାଶରେ ଧ୍ୱଂସ କରିବା ପାଇଁ କରାଯାଇଥିବା ଏକ ‘ଇଣ୍ଟରସେପ୍ଟର ଅପରେସନ୍’ ର ଅଂଶବିଶେଷ ଥିଲା ବୋଲି କୁଏତ ସେନା ସ୍ପଷ୍ଟ କରିଛି । ସେପଟେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ ଏହି ଘଟଣାରେ ଇରାନର ଦାବିକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରାଯାଇଛି ।
Comments are closed, but trackbacks and pingbacks are open.