ଏଣିକି ସାବାଡ଼ ହେବେ ଅପରାଧୀ:ପୋଲିସ ଡିଜି

39

ଭୁବନେଶ୍ବର: ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ବିରୋଧରେ ଓଡ଼ିଶା ପୋଲିସର ଜୋରଦାର ଆକ୍ସନ । ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ମେ ୧୨ ତାରିଖରୁ ସାରା ରାଜ୍ୟରେ ଜାରି ରହିଛି ଏକ ସ୍ପେଶାଲ ଡ୍ରାଇଭ୍‌ । ବିଗତ ୧୮ ଦିନର ଏହି ସ୍ପେଶାଲ ଅପରେସନରେ ପୋଲିସକୁ ମିଳିଛି ବ୍ୟାପକ ସଫଳତା । ଖବରଦାତା ସମ୍ମିଳନୀରେ ସୂଚନା ଦେଇ ପୋଲିସ ଡିଜି କହିଛନ୍ତି ଯେ, ଏହି ଅଭିଯାନ କାଳରେ ୫,୭୦୩ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା (NBW) କାର୍ଯ୍ୟକାରୀ କରାଯାଇଥିବା ବେଳେ ୫୨୦ ଜଣ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ, ନିଶାଦ୍ରବ୍ୟ ଏବଂ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏହି ଅଭିଯାନରେ ମୁଖ୍ୟତଃ ନିମ୍ନଲିଖିତ ଦିଗ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। NBW କାର୍ଯ୍ୟକାରୀ ଓ ଫେରାର ଅଭିଯୁକ୍ତଙ୍କ ଗିରଫଦାରୀ, ନିଶା କାରବାର (ଗଞ୍ଜେଇ ଓ ବ୍ରାଉନସୁଗାର) ଉପରେ ରୋକ୍, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଖଣିଜ ଚୋରା ଚାଲାଣ କରୁଥିବା ଯାନବାହନ ଜବତ, ମଦ୍ୟପାନ କରି ଗାଡ଼ି ଚାଳନା ଉପରେ କଠୋର ଚଢ଼ାଉ ଜାରି ରହିବ। ଟ୍ୱିନ ସିଟି ପୋଲିସ କମିଶନରଙ୍କ ସମେତ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍‌ ଅନ୍ତର୍ଗତ ଜିଲ୍ଲା ଏସପି ଓ କର୍ମଚାରୀମାନେ ଏହି ମିଶନରେ ସାମିଲ ହୋଇ ଅପରାଧମୁକ୍ତ ଓଡ଼ିଶା ଗଠନ ଦିଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବୋଲି ଡିଜି ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.