ରାଜଧାନୀରେ ପୋଲିସ ଏନକାଉଣ୍ଟର: କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀ ଗୁରୁତର

32

ଭୁବନେଶ୍ୱର: ରାଜଧାନୀରେ ପୁଣି ଫୁଟିଲା ଗୁଳି। କମିଶନରେଟ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ଡ୍ରଗ୍ସ ମାଫିଆ ଗୁରୁତର ଆହତ ହୋଇଛି। ଆହତ ଅପରାଧୀ ଜଣକ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ପପୁନ ମାଝୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ଇନଫୋଭ୍ୟାଲି ଥାନା ଅଞ୍ଚଳରେ ପପୁନ ଡ୍ରଗ୍ସ ଡିଲ୍ କରୁଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ଆଧାରରେ ପୋଲିସ ଚଢ଼ାଉ କରି ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପପୁନ ପୋଲିସ ଉପରକୁ ପ୍ରଥମେ ଏକ ରାଉଣ୍ଡ ଗୁଳି ଚଳାଇଥିଲା। ପୋଲିସ ମଧ୍ୟ ଆତ୍ମରକ୍ଷାର୍ଥେ ପାଲଟା ଗୁଳିଚାଳନା କରିଥିଲା। ପୋଲିସ ଗୁଳିରେ ପପୁନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ କଟକ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ଏହି ଡ୍ରଗ୍ସ କାରବାର ପଛରେ ଆଉ କାହାର ହାତ ଅଛି, ସେ ନେଇ ଖୋଳତାଡ଼ କରୁଛି।

Comments are closed, but trackbacks and pingbacks are open.