ଆସନ୍ତାକାଲି ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବେ ଡକ୍ଟର ମହେନ୍ଦ୍ର ମିଶ୍ର

32

ନୂଆଦିଲ୍ଲୀ: ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। ଏହି କ୍ରମରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ, ଭାଷାବିତ୍‌ ତଥା ଲୋକକଥାକାର ଡକ୍ଟର ମହେନ୍ଦ୍ର ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଡକ୍ଟର ମିଶ୍ର ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବିଲୁପ୍ତପ୍ରାୟ ଆଦିବାସୀ ଭାଷାର ସଂରକ୍ଷଣ ଏବଂ ଏହାକୁ ଆଧୁନିକ ଶିକ୍ଷା ପ୍ରଣାଳୀରେ ସାମିଲ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ଭାରତର ଆଦିବାସୀ ଓ ଗ୍ରାମୀଣ ଜନସମାଜରେ ପ୍ରଚଳିତ ପାରମ୍ପରିକ ଜ୍ଞାନ ପ୍ରଣାଳୀକୁ ବିଶ୍ୱ ଦରବାରରେ ପହଞ୍ଚାଇ ସେ ବେଶ୍ ପ୍ରଶଂସିତ ହୋଇଛନ୍ତି। ଆଦିବାସୀଙ୍କ ବିକାଶ ସହିତ ସେମାନଙ୍କ ଭାଷା, ସଂସ୍କୃତି ଓ ଶିକ୍ଷାର ପ୍ରସାର ପାଇଁ ସେ ଅନେକ ଆଦିବାସୀ ସଂଗଠନ ଓ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇଛନ୍ତି। ୧୯୫୨ ମସିହା ଏପ୍ରିଲ୍ ୧ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଡକ୍ଟର ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିବା ସହ ୧୯୮୭ରେ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସହକାରୀ ନିର୍ଦ୍ଦେଶକ ଭାବେ ଯୋଗ ଦେଇଥିଲେ। ଏହାଛଡ଼ା ଜନଜାତି ବହୁଭାଷୀ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ସେ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷାର ରାଜ୍ୟ ସଂଯୋଜକ ଭାବେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଛନ୍ତି।

Comments are closed, but trackbacks and pingbacks are open.