ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୯ତମ ଜାତୀୟ ରୋଜଗାର ମେଳାର ଅଂଶସ୍ୱରୂପ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବନିଯୁକ୍ତ ଯୁବକଯୁବତୀମାନଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଦେଶବ୍ୟାପୀ ୪୭ଟି ସ୍ଥାନରେ ଏକକାଳୀନ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ, ନିଯୁକ୍ତି ସୃଷ୍ଟି ଏବଂ ଯୁବ ସଶକ୍ତିକରଣ ପ୍ରତି ଭାରତ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ “ନାଗରିକ ଦେବୋ ଭବଃ” (ନାଗରିକ ହିଁ ଭଗବାନ) ମନ୍ତ୍ର ପ୍ରଦାନ କରିଥିଲେ। ସେ ଏହା ଉପରେ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରତ୍ୟେକ ଜନସେବକଙ୍କ ମୂଳ ଲକ୍ଷ୍ୟ “ନାଗରିକ କଲ୍ୟାଣ” (ଜନସାଧାରଣଙ୍କ ସେବା) ରହିବା ଉଚିତ୍। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଗଠନ ଦିଗରେ ଦେଶର ଯାତ୍ରାରେ ସକ୍ରିୟ ଭାବରେ ଯୋଗଦାନ କରିବା ପାଇଁ ଏହି ସୁଯୋଗର ସଦୁପଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ କରିଥିଲେ। ଭୁବନେଶ୍ୱରରେ, ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ରେଳ ଅଡିଟୋରିୟମ ଠାରେ ଆଞ୍ଚଳିକ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା। ସମାବେଶକୁ ସମ୍ବୋଧିତ କରି ଶ୍ରୀ ଓରାମ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ସାଧୁତା ଓ ନିଷ୍ଠା ବଜାୟ ରଖି ନିଜ ନିଜ ସଂଗଠନ ମଧ୍ୟରେ ସମ୍ମାନ ଅର୍ଜନ କରିବାକୁ ଏବଂ ନିଜର ସରକାରୀ କର୍ତ୍ତବ୍ୟ ସମ୍ପାଦନ ସମୟରେ ଜନସାଧାରଣଙ୍କ ସହ ସମ୍ମାନଜନକ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାରୁ ମନୋନୀତ ୧୮୬ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ ସରକାରୀ ପଦବୀ ପାଇଁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଏହି ନବନିଯୁକ୍ତ ପ୍ରାର୍ଥୀମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ, ଯେଉଁଥିରେ ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଆଦି ଅନ୍ତର୍ଭୁକ୍ତ।
Comments are closed, but trackbacks and pingbacks are open.