୨୪ ଘଣ୍ଟିଆ ଔଷଧ ଦୋକାନ ବନ୍ଦ; ନିରାମୟ କେନ୍ଦ୍ର ସମ୍ମୁଖରେ ଲମ୍ବା ଧାଡି

38

ଭୁବନେଶ୍ୱର: ଅନଲାଇନ ଔଷଧ ବିତରଣକୁ ବିରୋଧ କରି ଦେଶର ବିଭିନ୍ନ ଘରୋଇ ଔଷଧ ଦୋକାନ ସଂଘ ଦିନିକିଆ ବନ୍ଦ ଡାକରା ଦେଇଥିଲେ, ଯାହାକୁ ଓଡ଼ିଶାରେ ସମର୍ଥନ ଦେଇଥିଲା ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍। ଏହି ବନ୍ଦର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଔଷଧ ପାଇଁ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସର୍ବ ଭାରତୀୟ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଆହ୍ୱାନରେ ଆଜି ସାରା ଦେଶରେ ୧୨ ଲକ୍ଷ ୫୦ହଜାର ଔଷଧ ଦୋକାନ ବନ୍ଦ ଥିବା ବେଳେ ରାଜ୍ୟରେ ପାଖାପାଖି ୩୫ହଜାରରୁ ଅଧିକ ଔଷଧ ଦୋକାନ ବନ୍ଦ ରହିଛି । କଟକରେ ୩ହଜାର ଔଷଧ ଦୋକାନ ବନ୍ଦ ରହିଛି ।କେନ୍ଦ୍ର ସରକାରଙ୍କୁ ବାରମ୍ବାର ଦାବି ଲିଖିତ ଭାବେ ଜଣାଇବା ପରେ ମଧ୍ୟ କୌଣସି ଫଳ ନ ମିଳିବାରୁ ଆଜି ଗୋଟିଏ ଦିନ ପାଇଁ ସାରା ଦେଶରେ ଏହି ବନ୍ଦ ଡାକରା ଦିଆଯାଇଥିଲା । ସଂଘର ମୁଖ୍ୟତଃ ତିନି ଦଫା ଦାବି ରହିଛି । ଅନଲାଇନ ଔଷଧ ବିକ୍ରି ବନ୍ଦ କରିବା, ଅତ୍ୟଧିକ ଡିସକାଉଣ୍ଟରେ ଔଷଧ ବିକ୍ରି ବନ୍ଦ କରିବା ଏବଂ କରୋନା ସମୟରୁ ଚାଲି ଆସୁଥିବା ହୋମ ଡେଲିଭରିକୁ ବନ୍ଦ କରିବା। ଜନସାଧାରଣ ଯେପରି କୌଣସି ପ୍ରକାର ହଇରାଣ ନ ହେବେ ସେଥିପାଇଁ ବିଗତ ୧୫ଦିନ ହେବ ବିଭିନ୍ନ ଗଣମାଧ୍ୟମ ଜରିଆରେ ସଂଘ ପକ୍ଷରୁ ବନ୍ଦ ସଂପର୍କରେ ସୂଚନା ଦିଆଯାଉଛି । ତଥାପି, ଯଦି କେହି ଔଷଧ ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ସେଥିପାଇଁ ସରକାର ଦାୟୀ ବୋଲି କହିଛି ସଂଘ । ଖୋର୍ଦ୍ଧା ଜିଲ୍ଲା କେମିଷ୍ଚସ ଆଣ୍ଡ ଡ୍ରଗିଷ୍ଚସ୍ ଆସୋସିଏସନ ସମ୍ପାଦକ ପ୍ରଶାନ୍ତ କୁମାର ଜେନା କହିଛନ୍ତି, ‘ଏସବୁ ଦାବି ନେଇ ପୂର୍ବରୁ ମଧ୍ୟ ଦିନିିକିଆ ବନ୍ଦ କରି ସାରିଛୁ । ଏବେ ବି ଏଜେଣ୍ଡା ସମାନ ଅଛି । ମୁଖ୍ୟତଃ ଅନଲାଇନ ଔଷଧ ବିକ୍ରି ବନ୍ଦ କରାଯାଉ । ଏଥରେ ବହୁତ ସମସ୍ୟା ରହିଛି । ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଅନଲାଇନ ବିକ୍ରିକୁ ବିରୋଧ କରାଯାଉଛି । କେନ୍ଦ୍ର ସରକାର ଆମ ଦାବି ନ ଶୁଣିଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯିବ’ ବୋଲି କହିଛନ୍ତି ପ୍ରଶାନ୍ତ କୁମାର ଜେନା ।

Comments are closed, but trackbacks and pingbacks are open.