ଭୁବନେଶ୍ୱରରେ ଖୋଲିବ SEBIର ଅଫିସ୍

3

ଭୁବନେଶ୍ୱର: SEBI ପକ୍ଷରୁ ଭୁବନେଶ୍ୱରରେ ନୂଆ ବ୍ରାଞ୍ଚ କାର୍ଯ୍ୟାଳୟ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବ ଭାରତରେ ସେବିର ପ୍ରଥମ କାର୍ଯ୍ୟାଳୟ ହେବ। ଏନେଇ ସୋମବାର ଏକ MoU ସ୍ୱାକ୍ଷର ହୋଇଥିବାବେଳେ, ଆସନ୍ତା କିଛି ମାସ ମଧ୍ୟରେ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ସେବି ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ମ୍ୟୁଚୁଆଲ ଫଣ୍ଡ ସଂଘ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ର ଓ ସଚେତନା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି। ମ୍ୟୁନିସିପାଲ୍ ବଣ୍ଡକୁ ନେଇ ମଧ୍ୟ SEBI ଅଧ୍ୟକ୍ଷ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି । ସହର ସ୍ତରୀୟ ଅଭିବୃଦ୍ଧି ପାଇଁ ପୌର ପାଣ୍ଠିର ଆବଶ୍ୟକତା ଥିବାବେଳେ, ମ୍ୟୁନିସିପାଲ୍ ବଣ୍ଡ ଏଥିରେ ଏକ ବଡ଼ ମାଧ୍ୟମ ହୋଇପାରିବ ବୋଲି ସେ କହିଛନ୍ତି । ଦେଶର ୩୪ଟି ସହରରେ ଏହି ବଣ୍ଡ ଆରମ୍ଭ ହୋଇଥିବାବେଳେ, ଆଗାମୀ ଦିନରେ ଏହାର ଚାହିଦା ବଢ଼ିବ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାରଙ୍କୁ ମଧ୍ୟ ଏହି ବଣ୍ଡ ଆରମ୍ଭ କରିବା ପାଇଁ SEBI ପକ୍ଷରୁ ପରାମର୍ଶ ଦିଆଯାଇଛି । ଓଡ଼ିଶାରେ SIP ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ସେ କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ SIP ନିବେଶ ପ୍ରାୟ ୧୦ ଗୁଣା ବୃଦ୍ଧି ପାଇଥିବାବେଳେ, ମ୍ୟୁଚୁଆଲ୍ ଫଣ୍ଡ ମାଧ୍ୟମରେ ଲୋକମାନେ ଦେଶର ଅଭିବୃଦ୍ଧିରେ ସହଭାଗୀ ହେଉଛନ୍ତି । ତଥାପି ଜାତୀୟ ସ୍ତରରେ ତୁଳନା କଲେ ଓଡ଼ିଶା ଏବେ ମଧ୍ୟ ନିବେଶ କ୍ଷେତ୍ରରେ ପଛରେ ରହିଛି ।

Comments are closed, but trackbacks and pingbacks are open.