ରାଜ୍ୟରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି: ଓଡ଼ିଶା ପାଇଁ ‘ହିଟ୍ ୱେଭ୍’ ସତର୍କତା

17

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଭୀଷଣ ଗରମ ଓ ଗୁଳୁଗୁଳି ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ବିଶେଷ କରି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ଟିଟିଲାଗଡ଼ରେ ପ୍ରଚଣ୍ଡ ତାତି ସହ ନିଆଁ ବର୍ଷିଲା ଭଳି ସ୍ଥିତି ଉପୁଜିବ। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ନାକେଦମ୍ କରିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। କେବଳ ପଶ୍ଚିମ ବା ଆଭ୍ୟନ୍ତରୀଣ ଓଡ଼ିଶା ନୁହେଁ, ବରଂ ଉପକୂଳ ଓଡ଼ିଶାରେ ମଧ୍ୟ ପାରଦ ୪୦ ଡିଗ୍ରୀ ଟପିଯିବ। ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ‘ହିଟ୍ ୱେଭ୍’ ବା ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ଅପରପକ୍ଷରେ, କେବଳ ଓଡ଼ିଶା ନୁହେଁ, ସମଗ୍ର ଉତ୍ତର ଓ ପଶ୍ଚିମ ଭାରତରେ ମଧ୍ୟ ପ୍ରଚଣ୍ଡ ସୂର୍ଯ୍ୟକିରଣ ଅନୁଭୂତ ହେଉଛି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ, ପଞ୍ଜାବ, ହରିଆଣା, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ଗମ୍ଭୀର ହିଟ୍ ୱେଭ୍ ସ୍ଥିତି ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆକଳନ କରାଯାଇଛି।

Comments are closed, but trackbacks and pingbacks are open.