ଟ୍ରଲର-କାର ମୁହାଁମୁହିଁ ଧକ୍କା: ଚାଲିଗଲା ମାଆ-ଝିଅଙ୍କ ଜୀବନ, ୩ ଗୁରୁତର

96

ଭୁବନେଶ୍ବର: ପୁରୀରେ ଜଗନ୍ନାଥଙ୍କ ଦର୍ଶନ ସାରି ସପରିବାର ଘରକୁ ଫେରୁଥିବା ବେଳେ ଘଟିଛି ଭୟାବହ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ମାଆ ଓ ଝିଅଙ୍କ ଜୀବନ ଚାଲିଯାଇଥିବା ବେଳେ ପରିବାରର ଅନ୍ୟ ୩ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ପ୍ରଧାନୀଗୁଡ଼ା ନିକଟସ୍ଥ ରାଜାମାଟୁ ଛକରେ ଏକ ପାଇପ୍ ବୋଝେଇ ଟ୍ରଲର ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଭାବନୀୟ ସୂଚନା ମିଳିଛି। ସୂଚନା ଅନୁସାରେ, ଏକ ପାଇପ୍ ବୋଝେଇ ଟ୍ରଲର ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ କାର୍‌ଟି ପୁରୀରୁ ନବରଙ୍ଗପୁର ଅଭିମୁଖେ ଫେରୁଥିଲା। ରାଜାମାଟୁ ଛକ ନିକଟରେ ଉଭୟ ଗାଡ଼ି ମଧ୍ୟରେ ସାମ୍ନାସାମ୍ନି ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ କାର୍‌ରେ ଦୁଇ ମହିଳା, ଦୁଇ ପୁରୁଷ ଏବଂ ଗୋଟିଏ ଛୋଟ ପିଲାଙ୍କ ସମେତ ମୋଟ ୫ ଜଣ ଯାତ୍ରୀ ଥିଲେ। ଧକ୍କା ଏତେ ଜବରଦସ୍ତ ଥିଲା ଯେ ଘଟଣାସ୍ଥଳରେ ହିଁ ମାଆ ଓ ଝିଅଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ସ୍ଥାନୀୟ ମାଲଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed, but trackbacks and pingbacks are open.