ସୌମ୍ୟ ହତ୍ୟାକାଣ୍ଡ: ଘଟଣାସ୍ଥଳରେ ଡିଜିପି ଓ ମହିଳା କମିଶନ, ୫ ଗିରଫ

9

ଭୁବନେଶ୍ବର: ବାଲିଅନ୍ତା ଥାନା ଅଞ୍ଚଳରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ଏବେ ଉଗ୍ର ରୂପ ନେଇଛି। ଆଜି ସକାଳେ ପୋଲିସ ଡିଜିପି ୱାଇ.ବି. ଖୁରାନିଆ ଏବଂ ଡିସିପି ଜଗମୋହନ ମୀନା ମର୍ଡର ପ୍ଲଟ୍ ପରିଦର୍ଶନ କରି ତଦନ୍ତର ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ମଧ୍ୟ ବାଲିଅନ୍ତାରେ ପହଞ୍ଚି ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ଘଟଣାସ୍ଥଳ ଅନୁଧ୍ୟାନ ପରେ ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି ଯେ, ଏହି ବର୍ବରକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କମିଶନରେଟ୍ ପୋଲିସ ମାମଲାର ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ସହ ତର୍ଜମା କରୁଛି। ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରୁ ଏହି ହିଂସାକାଣ୍ଡ ସୂତ୍ରପାତ ହୋଇଥିବାରୁ, ମହିଳା କମିଶନ ଅଧ୍ୟକ୍ଷା ଘଟଣାର ସତ୍ୟାସତ୍ୟ ପଚାରି ବୁଝିଛନ୍ତି। ପୋଲିସ ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଫରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଓଲଟପୁର ଥାନା ମଉଜପୁର ଗ୍ରାମର ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ଗତକାଲି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ ସ୍ଥାନୀୟ ଲୋକେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆଣି ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Comments are closed, but trackbacks and pingbacks are open.