ରାଜ୍ୟର ସବୁ ବେବନ୍ଦୋବସ୍ତ ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆସିବ ଏସଓପି

19

ଭୁବନେଶ୍ୱର: ରାଜ୍ୟରେ ବେବନ୍ଦୋବସ୍ତ ଜମିକୁ ନେଇ ବର୍ଷବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ ଖୁବଶୀଘ୍ର ହେବ। ଜମିପଟ୍ଟାରେ ଥିବା ତ୍ରୁଟି ସଂଶୋଧନ ପାଇଁ ରାଜସ୍ୱ ନିରୀକ୍ଷକ(ଆରଆଇ)ମାନଙ୍କୁ ଟାର୍ଗେଟ୍ ଦିଆଯାଇଛି। ଭୂମିହୀନ ଓ ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କର ହକ୍ ପ୍ରଦାନ କରିବା ସହ ଜମି ରେକର୍ଡର ସଂଶୋଧନ ପ୍ରକ୍ରିୟାକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି।ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ରାଜ୍ୟରେ ବେବନ୍ଦୋବସ୍ତ ଜମିର ସମାଧାନ ପାଇଁ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଏସଓପି ବା ମାର୍ଗଦର୍ଶିକା ପୁସ୍ତିକା ଜାରି କରିବାକୁ ନିଷ୍ପତ୍ତି ହୋଇଛି। ଗତବର୍ଷ ରାଜ୍ୟରେ ଥିବା ପ୍ରାୟ ୩୮ ହଜାର ଏକର ବେବନ୍ଦୋବସ୍ତ ଜମି ମଧ୍ୟରୁ ୭ ହଜାର ଏକର ଜମିର ଫଇସଲା କରାଯାଇଥିବାବେଳେ ବାକି ଥିବା ମାମଲାଗୁଡ଼ିକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି କଟକ, ପୁରୀ, ଭଦ୍ରକ, ବଲାଙ୍ଗୀର ଓ ଜଗତସିଂହପୁର ଭଳି ଜିଲ୍ଲାଗୁଡ଼ିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି। ଯେଉଁମାନେ ବେବନ୍ଦୋବସ୍ତ ଜମି ପାଇଁ ସଲାମି ପଇଠ କରୁନାହାନ୍ତି, ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରି ଏକ ମାସ ମଧ୍ୟରେ ମାମଲାର ସମାଧାନ ପାଇଁ ତହସିଲଦାରମାନଙ୍କୁ କୁହାଯାଇଛି। ଏହାଛଡ଼ା ସରକାରୀ ଜମିକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବେବନ୍ଦୋବସ୍ତ ଜମିର ସେଟେଲମେଣ୍ଟ ପାଇଁ ବିଭିନ୍ନ ସମୟରେ ଜାରି ହୋଇଥିବା ସର୍କୁଲାର ଓ ନିର୍ଦ୍ଦେଶାବଳୀକୁ ସଂକଳିତ କରି ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଏସଓପି ପୁସ୍ତିକା ଜାରି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି। ଜମିପଟ୍ଟାରେ ସଂଶୋଧନକୁ ଗୁରୁତ୍ୱ ଦେଇ ରାଜସ୍ୱ ନିରୀକ୍ଷକମାନଙ୍କ ପାଇଁ ମାସିକ ୨୫୦ ରୁ ୩୦୦ ଖାତାର ସର୍ଭେ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଜମିପଟ୍ଟାର ୨ ଖାନା ବା କଲମ୍ ୨ ସଂଶୋଧନକୁ ଗୁରୁତ୍ୱ ଦେଇ ଏପର୍ଯ୍ୟନ୍ତ ୬୨.୬୮ ଲକ୍ଷ ଖାତାର ସର୍ଭେ ହୋଇଥିବାବେଳେ ତନ୍ମଧ୍ୟରୁ ପ୍ରାୟ ୫୮.୮୦ ଲକ୍ଷ ରେକର୍ଡ଼୍ ସଂଶୋଧିତ ହେବା ସହ ସଠିକ୍ ମାଲିକାନା ସପକ୍ଷରେ ପଟ୍ଟା ଜାରି କରାଯାଇଛି l ରାଜ୍ୟ(Odisha)ରେ ସଫଳ ରାଜସ୍ୱ ପ୍ରଶାସନକୁ ସୁନିଶ୍ଚିତ କରିବା ନିମନ୍ତେ ଏଣିକି ପ୍ରତି ମାସରେ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ଜିଲ୍ଲାଗୁଡ଼ିକର ର‌୍ୟାଙ୍କିଙ୍ଗ୍ କରାଯିବ। ଯେଉଁ ଜିଲ୍ଲା ଖରାପ ପ୍ରଦର୍ଶନ କରିବେ ସେଠାର ଅଫିସରମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ଅଧିକାରୀ କାର୍ଯ୍ୟାଦେଶ ଅବମାନନା କରନ୍ତି କିମ୍ବା ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପନ୍ନ ନକରନ୍ତି, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି।

Comments are closed, but trackbacks and pingbacks are open.