ଆଜି ଅହମ୍ମଦାବାଦରେ ମହାଲଢ଼େଇ: ଗୁଜରାଟ-ବେଙ୍ଗାଲୁରୁ ମୁହାଁମୁହିଁ

42

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର ରୋମାଞ୍ଚକର ଯାତ୍ରାରେ ଆଜି ଏକ ହାଇଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)। ସନ୍ଧ୍ୟା ୭:୩୦ରେ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ୭ଟାରେ ଟସ୍ ପଡ଼ିବ। ଗୁଜରାଟର ନେତୃତ୍ୱ ଶୁବମନ ଗିଲ୍ ସମ୍ଭାଳୁଥିବା ବେଳେ ଆରସିବି ପକ୍ଷରୁ ରଜତ ପାଟିଦାର ଅଧିନାୟକ ଭାର ଗ୍ରହଣ କରିଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ୍ ସାଧାରଣତଃ ବ୍ୟାଟିଂ ଅନୁକୂଳ ରହିଥାଏ। ଏଠାରେ ବଲ୍ ଭଲ ବାଉନ୍ସ ଓ ଗତି ସହ ବ୍ୟାଟକୁ ଆସୁଥିବାରୁ ବ୍ୟାଟ୍ସମ୍ୟାନମାନେ ବଡ଼ ସଟ୍ ଖେଳିବାରେ ସଫଳ ହୁଅନ୍ତି। ଦ୍ରୁତ ଆଉଟଫିଲ୍ଡ ଯୋଗୁଁ ଏହି ଗ୍ରାଉଣ୍ଡରେ ରନ୍ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରାରମ୍ଭିକ ଓଭରରେ ଦ୍ରୁତ ବୋଲରଙ୍କୁ କିଛିଟା ସହାୟତା ମିଳୁଥିବା ବେଳେ ଖେଳ ବଢ଼ିବା ସହ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ଏହି ପଡ଼ିଆରେ ହାରାହାରି ସ୍କୋର ୧୯୫ ରନ୍ ପାଖାପାଖି ରହୁଥିବାରୁ ଆଜି ଏକ ବଡ଼ ସ୍କୋର ବିଶିଷ୍ଟ ମ୍ୟାଚ୍ ଆଶା କରାଯାଉଛି। ମ୍ୟାଚ୍ ପୂର୍ବରୁ ଉଭୟ ଦଳର ରଣନୀତି ଓ ହେଡ୍-ଟୁ-ହେଡ୍ ରେକର୍ଡ ଉପରେ ସମସ୍ତଙ୍କ ନଜର ରହିଛି। ଗୁଜରାଟ ନିଜ ଘରୋଇ ଗ୍ରାଉଣ୍ଡର ଫାଇଦା ଉଠାଇବାକୁ ଚେଷ୍ଟା କରିବ। ଅନ୍ୟପଟେ, ନୂତନ ନେତୃତ୍ୱରେ ଆରସିବି ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

Comments are closed, but trackbacks and pingbacks are open.