ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ ମାତ୍ର ୭୭୨ ଗ୍ରାମ ଓଜନର ଶିଶୁକୁ ନୂଆ ଜୀବନ ଦେଲା ସମ୍ ନବଜାତ ଶିଶୁରୋଗ ବିଭାଗ

331

ଭୁବନେଶ୍ୱର, ଏପ୍ରିଲ ୧୬: ଜନ୍ମ ହେବାର ନିର୍ଦ୍ଧାରିତ ସମୟ ପୂର୍ବରୁ ୨୬ ସପ୍ତାହରେ ଜନ୍ମିତ ମାତ୍ର ୭୭୨ ଗ୍ରାମ ଓଜନର ଶିଶୁ କନ୍ୟାର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲର ନବଜାତ ଶିଶୁରୋଗ ବିଭାଗର ଡାକ୍ତରୀ ଟିମ୍ ।
ଶିଶୁକନ୍ୟା ଜନ୍ମ ହେବା ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଭିଷଣ କଷ୍ଟ ଅନୁଭବ କରିବାରୁ ତାକୁ ତୁରନ୍ତ ନବଜାତ ଶିଶୁରୋଗ ବିଭାଗର ଆଇସିୟୁରେ ଭର୍ତି କରାଯାଇଥିଲା ।
ଶିଶୁଟିକୁ ମେକାନିକାଲ୍ ଭେନ୍‌ଟିଲେସନ୍ ଏବଂ ଆଡଭାନ୍ସ ଲାଇଫ ସପୋର୍ଟରେ ରଖାଯାଇ ଚିକିତ୍ସା କରାଯାଇଥିଲା । ଚିକିତ୍ସାରେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଘଟିଥିଲା ଏବଂ ତା’ ଶରୀରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମିତ କାରଣରୁ ଯେଉଁ ସବୁ ସମସ୍ୟା ଓ ଜଟିଳତା ଥିଲା ତାହା ଦୂର ହେବା ଆରମ୍ଭ ହୋଇଥିଲା । ଯଦିଓ ତା’ର ଜୀବନ ପ୍ରତି ବିପଦ ଥିଲା ଉପଯୁକ୍ତ ଚିକିତ୍ସା ଓ ଯତ୍ନ ଏବଂ ମେଡିକାଲ୍ ଟିମ୍‌ର ସାହାଯ୍ୟ ଓ ସହଯୋଗ ବଳରେ ଶିଶୁଟି ୩ ମାସ ହସ୍ପିଟାଲ୍‌ର ଏନ୍‌ଆଇସିୟୁରେ ରହି ସୁସ୍ଥ ହୋଇପାରିଥିଲା ।
ଶିଶୁଟି ସୁସ୍ଥ ହେବା ପରେ ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ନନ୍ଦ ଖୁସି ବ୍ୟକ୍ତ କରିବା ସହ ଡାକ୍ତରୀ ଟିମ୍‌ର ନିରନ୍ତର ପ୍ରଚେଷ୍ଟା ଏବଂ ଶିଶୁର ବାପା-ମା’ଙ୍କର ଧୈର୍ଯ୍ୟ ଓ ସହଯୋଗକୁ ପ୍ରଶଂସା କରିଥିଲେ ।
ଏହି ଡାକ୍ତରୀ ଟିମ୍‌ରେ ଡାକ୍ତର ଭାବଗ୍ରାହୀ ମଲ୍ଲିକ, ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନୀତ କୁମାର ପାଣିଗ୍ରାହୀ, ଡାକ୍ତର ସୁରେଶ କୁମାର ତ୍ରିପାଠୀ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ଶ୍ରୁତିପ୍ରଜ୍ଞା କର, ଡାକ୍ତର ପ୍ରତ୍ୟୁଷ ଦ୍ୱିବେଦୀ, ଡାକ୍ତର ଶିତିକଣ୍ଠ ନାୟକ, ଡାକ୍ତର କଳ୍ପିତା ସାହୁ, ଡାକ୍ତର ପୁଜିଥା ଏବଂ ଡାକ୍ତର ଶରଥ ଚନ୍ଦ୍ରିକା ସାମିଲ ଥିଲେ ।

Comments are closed, but trackbacks and pingbacks are open.