ମହିଳା ବିଲ୍‌କୁ ବିରୋଧ କଲେ ନିସ୍ତାର ନାହିଁ, ମହିଳାମାନେ ହିଁ ଦେବେ ଦଣ୍ଡ: ପ୍ରଧାନମନ୍ତ୍ରୀ

175

ନୂଆଦିଲ୍ଲୀ: “ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ମହିଳାମାନେ କେବେ ବି କ୍ଷମା କରିବେ ନାହିଁ ଏବଂ ସେମାନେ ହିଁ ଉଚିତ୍ ଦଣ୍ଡ ଦେବେ।” ଆଜି ଲୋକସଭାରେ ମହିଳା ସଂରକ୍ଷଣ ସମ୍ପର୍କିତ ସାମ୍ବିଧାନିକ ସଂଶୋଧନ ବିଲ୍ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କଡ଼ା ଚେତାବନୀ ଦେଇଛନ୍ତି। ଏହି ପ୍ରସଙ୍ଗକୁ ରାଜନୀତିର ତରାଜୁରେ ନ ତଉଲିବାକୁ ସେ ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମ୍ବିଧାନ (୧୩୧ତମ) ସଂଶୋଧନ ବିଲ୍-୨୦୨୬, ସୀମା ନିର୍ଦ୍ଧାରଣ ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ ଦେଶର ମହିଳାମାନଙ୍କୁ ସଶକ୍ତ କରିବ। ଏହାକୁ ନେଇ ରାଜନୈତିକ ସୁବିଧାବାଦ ଦେଖାଇଲେ ଦୀର୍ଘକାଳୀନ ଭାବେ ଏହାର ମୂଲ୍ୟ ଦେବାକୁ ପଡ଼ିବ। ସଂସଦୀୟ ଇତିହାସରେ ଆଜିର ଦିନଟି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ଏହା ଜାତିର ବିଶ୍ୱାସ ଓ ଐତିହ୍ୟକୁ ସମୃଦ୍ଧ କରିବ ବୋଲି ସେ ପ୍ରକାଶ କରିଛନ୍ତି। ବିରୋଧୀଙ୍କୁ କଟାକ୍ଷ କରି ମୋଦି କହିଛନ୍ତି, “ଯେଉଁମାନେ କେବଳ ରାଜନୈତିକ ଦୃଷ୍ଟିକୋଣରୁ ଏହାକୁ ଦେଖୁଛନ୍ତି, ସେମାନେ ଜାଣି ରଖିବା ଉଚିତ୍ ଯେ ମହିଳାମାନେ ନିଜ ଅଧିକାରକୁ ବିରୋଧ କରୁଥିବା କାହାକୁ କ୍ଷମା କରିନାହାନ୍ତି।” ମହିଳା ସଂରକ୍ଷଣ ପ୍ରକ୍ରିୟାରେ ବିଳମ୍ବ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ବାସ୍ତବତା ଗ୍ରହଣ କରିବାକୁ ହେବ। ଏହି ବିଲ୍ ପାଇଁ ସମସ୍ତ ପକ୍ଷଙ୍କ ସହ ପରାମର୍ଶ କରାଯାଇଥିଲା ଏବଂ କେବଳ ଗୋଟିଏ ଦଳକୁ ଛାଡ଼ିଲେ ଅନ୍ୟ କେହି ଆଦର୍ଶଗତ ଆପତ୍ତି ଉଠାଇ ନଥିଲେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.