ଓଡ଼ିଆ ନବବର୍ଷରେ ମା ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

54

କେନ୍ଦୁଝର: ଘଟଗାଁ ପ୍ରସିଦ୍ଧ ମା’ ତାରିଣୀଙ୍କ ଚଇତି ପର୍ବର ଆଜି ଅନ୍ତିମ ଦିନ। ମନ୍ଦିର ପରିସରକୁ ଆଲୋକମାଳା ସହ ଫୁଲ ଦ୍ୱାରା ସୁସଜ୍ଜିତ କରାଯାଇଛି। ଆଜି ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ। ଭକ୍ତମାନେ ମା’ଙ୍କର ଏହି ଦିବ୍ୟ ବେଶ ଦର୍ଶନ କଲେ ଅନେକ ପୁଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଅବସରରେ ଲକ୍ଷାଧିକ ଭକ୍ତ ମା’ ତାରିଣୀଙ୍କୁ ଦର୍ଶନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ମା’ ତାରିଣୀଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି। ମାଆ ତାରିଣୀଙ୍କୁ ଦର୍ଶନ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ସାରା ଓଡ଼ିଶାବାସୀଙ୍କର ମଙ୍ଗଳ କାମନା କରିଛି। ସେହିପରି କେନ୍ଦୁଝର ଜିଲ୍ଲା କିଭଳି ସମୃଦ୍ଧ ଜିଲ୍ଲା ହେବ, ଓଡ଼ିଶା କିଭଳି ସମୃଦ୍ଧ ରାଜ୍ୟ ହେବ ଓ ରାଜ୍ୟରେ ଥିବା ଦଳିତ ବର୍ଗର ଲୋକ, ପଛୁଆ ବର୍ଗର ଲୋକ, ଆଦିବାସୀ ଲୋକ ଓ ରାଜ୍ୟରେ ବିଭିନ୍ନ ସମସ୍ୟାରେ ଥିବା ଲୋକଙ୍କର କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ସେନେଇ ମା’ ଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାର୍ଥନା କରିଥିବା କହିଛନ୍ତି।ମନ୍ଦିର ପରିସରରେ ଥିବା ସାଂସ୍କୃତିକ ମଣ୍ଡପରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ବିଭିନ୍ନ ଭକ୍ତିମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆରମ୍ଭ ହୋଇଛି। ମନ୍ଦିରରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କୁ ମାଗଣା ଅନ୍ନପ୍ରସାଦ ସହିତ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି। ଓଡ଼ିଆ ନବବର୍ଷରେ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦେଖି ମନ୍ଦିର ପ୍ରଶାସନ ତଥା ପୋଲିସ ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.