ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଆଗାମୀ ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ‘ବିଶ୍ୱାସର ପ୍ରତିଜ୍ଞା’ ପ୍ରକାଶ ପାଇଛି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହ ଏହି ସଂକଳ୍ପ ପତ୍ରକୁ ଉନ୍ମୋଚନ କରିଛନ୍ତି। ପଶ୍ଚିମବଙ୍ଗର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦସ୍ତାବିଜ ପ୍ରସ୍ତୁତ କରାଯାଇଥିବା ବେଳେ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଜନକଲ୍ୟାଣକାରୀ ପ୍ରତିଶ୍ରୁତି ସ୍ଥାନ ପାଇଛି। ଏହି ଅବସରରେ ଶାହ କହିଛନ୍ତି ଯେ, ଏହି ଇସ୍ତାହାର କେବଳ ଏକ ତାଲିକା ନୁହେଁ, ବରଂ ଲୋକଙ୍କୁ ଏକ ନୂତନ ଦିଶା ଦେଖାଇବାର ରୋଡମ୍ୟାପ୍। ବିଶେଷକରି ବେକାର ଯୁବକ ଓ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କ ମଧ୍ୟରେ ନୂତନ ଆଶା ଓ ବିଶ୍ୱାସ ସଞ୍ଚାର କରିବ। ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉଁ ସ୍ୱପ୍ନ ରହିଛି, ତାହାକୁ ସାକାର କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ। ପଶ୍ଚିମବଙ୍ଗର ଶାସକ ଦଳକୁ ଟାର୍ଗେଟ କରି ଶାହ କହିଛନ୍ତି, “ଏହି ନିର୍ବାଚନ ହେଉଛି ଭୟ ଏବଂ ବିଶ୍ୱାସ ମଧ୍ୟରେ ଏକ ଯୁଦ୍ଧ। ମମତା ବାନାର୍ଜୀଙ୍କ ସରକାର ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ବିଜେପିର ଏହି ଇସ୍ତାହାର ଲୋକଙ୍କୁ ସେହି ନିରାଶାରୁ ବାହାର କରିବାର ପଥ ଦେଖାଇବ।” ନିର୍ବାଚନ ପୂର୍ବରୁ ବିଜେପି ନିଜର ପ୍ରଚାର ଅଭିଯାନକୁ ଅଧିକ ଜୋରଦାର କରିଥିବା ବେଳେ ଏହି ଇସ୍ତାହାର ଦଳ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ସାଜିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।
Comments are closed, but trackbacks and pingbacks are open.