CBSE ପାଠ୍ୟକ୍ରମରେ ବଡ଼ ପରିବର୍ତ୍ତନ: କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା CT ଏବଂ AI ପାଠ୍ୟକ୍ରମ ଉନ୍ମୋଚିତ

158

ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)। ୨୦୨୬-୨୭ ଶିକ୍ଷା ବର୍ଷର ପ୍ରଥମ ଦିନରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ‘କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (CT & AI) ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ନୂତନ ବିଷୟ ପଢ଼ିବେ। ଏହି ପାଠ୍ୟକ୍ରମ NCERT ସହଯୋଗରେ ବିକଶିତ ହୋଇଛି, ଯାହା ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ର ଲକ୍ଷ୍ୟକୁ ପୂରଣ କରିବ। ଛାତ୍ରଛାତ୍ରୀଙ୍କୁ କେବଳ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକାରୀ ନୁହେଁ, ବରଂ ଭବିଷ୍ୟତର ‘ଉଦ୍ଭାବକ’ ଭାବେ ଗଢ଼ିତୋଳିବା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, “ଏଆଇ ଫର୍ ଏଜୁକେସନ, ଏଆଇ ଇନ୍ ଏଜୁକେସନ” ଭିଜନକୁ ନେଇ ଭାରତ ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରୁଛି। ଏହି ପାଠ୍ୟକ୍ରମ ଦ୍ୱାରା ପିଲାମାନଙ୍କ ମଧ୍ୟରେ ସୃଜନଶୀଳତା, ଡିଜାଇନ ଓରିଏଣ୍ଟେସନ ଏବଂ ସମସ୍ୟା ସମାଧାନର ଦକ୍ଷତା ବୃଦ୍ଧି ପାଇବ। ପିଲାମାନଙ୍କ ବୟସ ଓ ବୁଦ୍ଧି ଅନୁସାରେ ସରଳ ପ୍ରଣାଳୀରେ ବିଷୟବସ୍ତୁ ପ୍ରସ୍ତୁତ ହୋଇଛି। ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ‘ଟିଚର ହ୍ୟାଣ୍ଡବୁକ୍’ ଏବଂ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ। ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ମାପିବା ପାଇଁ ଅତ୍ୟାଧୁନିକ ମୂଲ୍ୟାଙ୍କନ ବ୍ୟବସ୍ଥା କରାଯାଇଛି।

Comments are closed, but trackbacks and pingbacks are open.