ରାମ ନବମୀ ଶୋଭାଯାତ୍ରା ରେ ଫାଙ୍କା ଗୁଳିଚାଳନା କରିଥିବା ବିଧାୟକଙ୍କ ପିଏସଓ ନିଲମ୍ବିତ

29

ବଲାଙ୍ଗୀର:ରାମନବମୀ ଶୋଭାଯାତ୍ରାରେ ସର୍ବସାଧାରଣରେ ଏକାଧିକ ଥର ଗୁଳି ଫୁଟାଇ ବିବାଦୀୟ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଧାୟକ ନବୀନ ଜୈନ l ବିଧାୟକଙ୍କ ଫାଙ୍କା ଗୁଳି ଚାଳନାରେ ବିଧାୟକଙ୍କ ପାଖେ ପାଖେ ରହି ସହଯୋଗ କରୁଥିବା ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଠିକାଦାରପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଶୁକ୍ରବାର ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାକାରୀ ନଗର ପରିଭ୍ରମଣ କରୁଥିଲେ । ଶତାଧିକ ପୁରୁଷ, ମହିଳା ଶୋଭାଯାତ୍ରାରେ ସାମିଲ ହୋଇଥିଲେ lଶାସ୍ତ୍ରୀ ଛକ ରେ ଶୋଭାଯାତ୍ରା ପହଞ୍ଚିବା ପରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ସାମିଲ ହୋଇଥିଲେ। ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ପାଖକୁ ଡାକିଥିଲେ। ଟିକେ ପଛକୁ ବୁଲି ହାତରେ କଳା ରଙ୍ଗର ପିସ୍ତଲ ଧରି ଉପରକୁ ଉଠାଇଥିଲେ ଏବଂ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ପରେ ପିସ୍ତଲକୁ ସର୍ବସମ୍ମୁଖରେ ନିଜ ଅଣ୍ଟାରେ ଖୋସିଥିଲେ। କେବଳ ଶାସ୍ତ୍ରୀ ଛକ ନୁହେଁ, ପୁରୁଣା ବ୍ୟାଙ୍କ ଛକରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା lଏ ସଂପର୍କରେ ଟିଟିଲାଗଡ଼ ବିଧାୟକ ଶ୍ରୀ ଜୈନଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ଏହା ଏକ ନକଲି ପିସ୍ତଲ ଥିଲା |ବିଧାୟକ ବ୍ୟବହାର କରିଥିବା ୩୨ ବୋର୍ ପିସ୍ତଲ ପୁଲିସ ଜବତ କରିଛି | ସେହି ପିସ୍ତଲରୁ ବିଧାୟକ ଶ୍ରୀ ଜୈନ ତିନି ରାଉଣ୍ଡ ଗୁଳି ଫୁଟାଇଥିବା ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ ସ୍ପଷ୍ଟ କରିଛନ୍ତି | ଦାୟିତ୍ଵ ପରିଚାଳନାରେ ଅବହେଳା ଅଭିଯୋଗରେ ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ (ପିଏସଓ) ପ୍ରେମଚନ୍ଦ ନାଗଙ୍କୁ ନିଲମ୍ବିତ କରାଯାଇଛି ଓ ସମସ୍ତ ପକ୍ଷଙ୍କ ନାମରେ ଟିଟିଲାଗଡ଼ ଥାନାରେ ମାମଲା ରୁଜୁ କରାଯାଇଥିବା ଏସ୍‌ପି କହିଛନ୍ତି ।

Comments are closed, but trackbacks and pingbacks are open.