ଭୁବନେଶ୍ବର: ବିଧାନସଭାରେ ଏସସିବି ତାତି । ଚତୁର୍ଥ ଦିନରେ ବି ଅଚଳ ହୋଇପଡିଛି ଗୃହ । ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ା. ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରି ଶୁକ୍ରବାର ମଧ୍ୟ ଗୃହକୁ ଅଚଳ କରିଦେଇଛନ୍ତି। କଟକ ଏସସିବି ମେଡିକାଲ କଲେଜ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଓଡିଶା ବିଧାନସଭାରେ ରାଜନୈତିକ ତାପମାତ୍ରା ଚରମ ସୀମାରେ ପହଞ୍ଚିଛି। ଗତ ତିନି ଦିନ ଧରି ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ଆଜି ଚତୁର୍ଥ ଦିନରେ ମଧ୍ୟ ସେହି ପରିସ୍ଥିତି ଜାରି ରହିଛି। ଗୃହ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ପୋଷ୍ଟର ଓ ବ୍ୟାନର ଧରି ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। “ଡବଲ ଇଞ୍ଜିନ, ଡବଲ ଧୋକା ଚଲିବ ନାହିଁ”, “ମୋହନ ମାଝୀ ସରକାର ଡାଉନ ଡାଉନ”, “ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦିଅ” ପରି ସ୍ଲୋଗାନରେ ଗୃହ କମ୍ପି ଉଠିଥିଲା। ବିଜେଡି ବିଧାୟକ ପ୍ରଶାନ୍ତ ବେହେରା ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିବାବେଳେ କଂଗ୍ରେସ ସଦସ୍ୟମାନେ ମଧ୍ୟ ବାଚସ୍ପତିଙ୍କ ଆସନ ପାଖକୁ ଯିବାକୁ ଉଦ୍ୟତ ହୋଇଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ସଦସ୍ୟମାନଙ୍କୁ ରୋକିଥିଲେ।
ହଟ୍ଟଗୋଳ ମଧ୍ୟରେ ଗଣଶିକ୍ଷା ବିଭାଗର ପ୍ରଶ୍ନକାଳ ଚାଲିଥିବାବେଳେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଥିଲେ। ପରେ ଉଚ୍ଚ ଶିକ୍ଷା ବିଭାଗରେ ଜାତୀୟ ଶିକ୍ଷା ନୀତି–୨୦୨୦ ଅନୁପାଳନ ସମ୍ପର୍କିତ ପ୍ରଶ୍ନରେ ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଉତ୍ତର ଦେଇଥିଲେ । କିନ୍ତୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କିଛି ଶୁଣିବାକୁ ମିଳି ନ ଥିଲା।
Next Post
Comments are closed, but trackbacks and pingbacks are open.