ଇସ୍ରାଏଲର ଷ୍ଟ୍ରାଇକରେ IRGCର ମୁଖପାତ୍ର ଅଲୀ ମହମ୍ମଦ ନୈନିଙ୍କ ମୃତ୍ୟୁ

41

ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହରାନରୁ ଆସିଛି ବଡ ଖବର । ଇରାନର ସରକାରୀ ମିଡିଆ ଆଜି ସୂଚନା ଦେଇଛି ଯେ, ଆଇଆରଜିସିର ମୁଖପାତ୍ର ଅଲୀ ମହମ୍ମଦ ନୈନି ଆମେରିକା ଓ ଇସ୍ରାଏଲ ଦ୍ୱାରା ଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି । ଆଇଆରଜିସି ଇରାନର ସବୁଠୁ ଶକ୍ତିଶାଳୀ ଓ ଆର୍ଥିକ ସଂସ୍ଥା । ଅଲୀ ମହମ୍ମଦ ନୈନିଙ୍କ ମୃତ୍ୟୁ ଚଳିତ ସପ୍ତାହରେ ଇରାନ ପାଇଁ ଚତୁର୍ଥ ବଡ କ୍ଷତି । ଗତ କିଛି ଦିନରେ ଇରାନ ନିଜର ତିନି ଅନ୍ୟ ପ୍ରଭାବଶାଳୀ ଅଧିକାରୀଙ୍କୁ ହରାଇଛି । ଏହି ଯୁଦ୍ଧରେ ପୂର୍ବତନ ସଂସଦ ଅଧ୍ୟକ୍ଷ ତଥା ବରିଷ୍ଠ ପରାମର୍ଶଦାତା ଅଲୀ ଲାରିଜାନୀ, ବାସିଜ ସ୍ୱଂୟସେବୀ ବଳର ପ୍ରମୁଖ ଗୁଲାମରେଜା ସୁଲେମାନୀ ଓ ଇରାନର ଗୁଇନ୍ଦା ମନ୍ତ୍ରୀ ଇସମାଲ ଖତିବ ପ୍ରାଣ ହରାଇଛନ୍ତି ।ଅୟାତୁଲ୍ଲା ଖାମେନିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୁଜତବା ଖାମେନି ଦାୟିତ୍ୱ ଗ୍ରହଣ କରିଛନ୍ତି । ମାତ୍ର ସେ ବି ଆହତ ହୋଇଥିବା ଖବର ଆସୁଛି । ଏହି କାରଣରୁ ଇରାନରେ କ୍ଷମତାଶୂନ୍ୟ ହେବାର ଆଶଙ୍କା ଦେଖା ଦେଇଛି । ଏହି ସବୁ ମଧ୍ୟରେ ଇରାନର ନୂଆ ସର୍ବୋଚ୍ଚ ନେତା ଅୟାତୁଲ୍ଲା ମୁଜତବା ଖାମେନି ଦେଶବାସୀଙ୍କୁ ସମ୍ବୋଧିତ କରି ଆଜି ନିଜ ଦେଶର ଶତ୍ରୁଙ୍କ ସୁରକ୍ଷା ଛଡାଇ ନେବାକୁ ଆହ୍ୱାନ ଦେଇଛନ୍ତି । ଖାମେନିଙ୍କୁ ସର୍ବୋଚ୍ଚ ନେତା ଭାବେ ନାମିତ କରାଯିବା ପରଠୁ ତାଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳୁନି । ତେଣୁ ଆମେରିକା ଓ ଇସ୍ରାଏଲ ହମଲାରେ ସେ ମଧ୍ୟ ଆହତ ହୋଇଥିବା ସମ୍ଭାବନା ବଢିବାରେ ଲାଗିଛି । ସେପଟେ ଇରାନକୁ ଆହୁରି ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେପଟେ ହର୍ମୁଜ ପ୍ରଣାଳୀ ବନ୍ଦ ଥିବାରୁ ଦୁନିଆରେ ହାହାକାର ପରିସ୍ଥିତି ଉପୁଜିଛି ।

Comments are closed, but trackbacks and pingbacks are open.